ରାୟଗଡା, (୦୧/୧୧) : ଆପ୍ର : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ସୃଷ୍ଟି ହୋଇପାରୁଥିବା ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ନିମନ୍ତେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ।
ଏନେଇ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଖାଦ୍ୟ, ପାନୀୟ ଜଳ, ଆଶ୍ରୟସ୍ଥଳୀ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ବାତ୍ୟା ପୂର୍ବରୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ନଦୀ ନିକଟବର୍ତ୍ତୀ ବିପଦସଂକୁଳ ଜନବସତିଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ଆଗୁଆ ସ୍ଥାନାନ୍ତରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ବିପଦ ଥିବା ଅଞ୍ଚଳରେ ଜନସାଧାରଣଙ୍କୁ ସତର୍କ କରିବା ସହ ସ୍ଥାନାନ୍ତରଣ ପାଇଁ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ରଖିବାକୁ କୁହାଯାଇଥିଲା । ଏଥିସହ ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିବା ନିମନ୍ତେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇପାରେ ବୋଲି କୁହାଯାଇଥିଲା ।
ବାତ୍ୟା ଆଶ୍ରୟସ୍ଥଳୀ, ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ବିପଦସଂକୁଳ ସ୍ଥାନ ଗୁଡିକରେ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବୋତଲ, ମୋବାଇଲ୍ ଚାର୍ଜିଂ ସୁବିଧା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଦ୍ୟୁତ୍ ଓ ଟେଲିଫୋନ୍ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ରଖିବା ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା ସହ ଡିଜି ସେଟ୍ର ବ୍ୟବସ୍ଥା କରିବାକୁ TPSODL ଓ ଟେଲିକମ୍ ବିଭାଗକୁ କୁହାଯାଇଥିଲା ।
ବୈଠକରେ ସମସ୍ତ ବିଡିଓ, ତହସିଲଦାର, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, ବନ ବିଭାଗ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନିଜ ନିଜ ଅଞ୍ଚଳରେ ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳ, ଆଶ୍ରୟସ୍ଥଳୀ, ଉଦ୍ଧାରକାର୍ଯ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା । ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଯେକୌଣସି ଆପଦକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

