ଅନୁଗୁଳ, (୨୯/୦୫) : ଆପ୍ର : ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଚାଳକ । ମୃତକ ହେଲେ ଅନୁଗୋଳ ତୁରଙ୍ଗ ଅଂଚଳର ଦୀପକ ପ୍ରଧାନ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୀପକ ଓ ତାଙ୍କ ସାଥୀ ରଞ୍ଜନ ବାଇକ୍ ଯୋଗେ ଖମାର ପଟୁ ପିତ୍ରୀ ଅଭିମୁଖେ ଯାଉଥିଲେ । ଏହି ସମୟରେ ସମାକୋଇ ବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଧକ୍କାଟି ଏତେ ଶକ୍ତ ଥିଲା ଯେ ଗାଡ଼ିଟି ବାଇକ୍କୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ନେଇଯାଇଥିଲା । ଘୋଷାରି ହେବା ଯୋଗୁଁ ବାଇକ୍ରୁ ପ୍ରବଳ ନିଆଁ ବାହାରି ସ୍ପାର୍କ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା ।
ଦୁର୍ଘଟଣା ସମୟରେ ବାଇକ୍ ପଛରେ ବସିଥିବା ରଞ୍ଜନ ଛିଟିକି ହୋଇ ଦୂରରେ ପଡ଼ିଯାଇଥିବା ବେଳେ ଚାଳକ ଦୀପକ ଗାଡ଼ି ଭିତରେ ଫସି ରହିଯାଇଥିଲେ । ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ ଦୀପକ ବାଇକ୍ ସହ ଜୀବନ୍ତ ଜଳିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର କରୁଣ ମୃତ୍ୟୁ ଘଟିଥିଲା । ରଞ୍ଜନ ସାହୁଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବାଇକରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

