ବରଗଡ, (୧୧/୧୧) : ଆପ୍ର : ଅତାବିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ପୋଲିସ ସଫଳ ହୋଇଛି ।
ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟ୍ରୋଲିଂ ଚାଲିଥିବା ସମୟରେ ଏ ଏସ ଆଇ ସମରୁ ନାଗ ଏବଂ ସହଯୋଗୀ ପୋଲିସ କର୍ମଚାରୀମାନେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ୫୩ ନମ୍ବର ଜାତୀୟ ରାଜପଥ ସ୍ଥିତ ରାଜସ୍ଥାନୀ ଢାବା ନିକଟରେ କିଛି ଅସାମାଜିକ ବ୍ୟକ୍ତି ଡକାୟତି କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି । ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିବା ବେଳେ ୩ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ସହର ଖଜୁରଟିକ୍ରା (ୱାର୍ଡ ନଂ-୮)ର ସୁରଜ ଦତ୍ତା ଓରଫ୍ ଖୁଲୁ, ତଳିପଡ଼ା (ୱାର୍ଡ ନଂ-୨)ର ଅଙ୍କିତ ମାଝୀ ଏବଂ ଖଜୁରଟିକ୍ରାର ସାହିଲ ପ୍ରଧାନ ଓରଫ୍ ଜିତ୍ । ପୋଲିସ ସୂଚନା ମୁତାବକ, ସୁରଜ ଦତ୍ତା ଏବଂ ସାହିଲ ପ୍ରଧାନ ପୂର୍ବରୁ ଅନେକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସହ ଅଭ୍ୟାସଗତ ଅପରାଧୀ ଅଟନ୍ତି । ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ଖଣ୍ଡା, ୨ଟି ଛୁରୀ, ୩ଟି ଲୁହା ରଡ୍ ଏବଂ ଅପରାଧରେ ବ୍ୟବହୃତ ଦୁଇଟି ମୋଟରସାଇକେଲ ନଂ ଓଡ଼ି ୧୭ ଏ ଏଚ୍ ୨୫୭୭ ଓ ଓଡ଼ି ୧୭ ଏ ଇ ୨୫୨୦ ଜବତ କରାଯାଇଛି । ଏହି ଘଟଣାରେ ଅତାବିରା ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

