ଭୁବନେଶ୍ୱର, (୦୮/୦୭) : ଆପ୍ର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ ।
ଜାନୁଆରୀ ୨୩ ‘ପରାକ୍ରମ ଦିବସ’ ଅବସରରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟ ବ୍ଲୁ-ଇକୋନୋମି ଏବଂ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର ଏହି ଗସ୍ତ । ଉପରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ, ଗୃହ ବିଭାଗ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ଓ ପ୍ରୋଟୋକଲ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ଏବଂ ରାଜଭବନ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ଗାଡ଼ିର ସୁରକ୍ଷିତ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କାରକେଡ୍ ମକ୍ ଡ୍ରିଲ୍ ଶେଷ ହୋଇଛି । ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ ରଖିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଭୁବନେଶ୍ୱର ବିମାନବନ୍ଦର ଏବଂ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ଚାରିପାଖରେ ପ୍ରାୟ ୩୦ ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ୱର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ଏବଂ ସାଧା ପୋଷାକଧାରୀ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରାଷ୍ଟ୍ରପତିଙ୍କ ରହଣି, ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପ୍ରୋଟୋକଲ୍ ବ୍ୟବସ୍ଥାର ଚୂଡ଼ାନ୍ତ ସମୀକ୍ଷା କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ରରେ ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ଏବଂ ଦେଶର ବ୍ଲୁ-ଇକୋନୋମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତାକାଲି, ଭୁବନେଶ୍ୱରରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ ଏକ ବୃହତ୍ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବେ। ଏହା ସହିତ ରାଜ୍ୟର ଅଫ୍-ସୋର୍ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ରସ୍ତୁତ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ ଦଲିଲ’ ର ମଧ୍ୟ ଉନ୍ମୋଚନ ହେବ।

