ଗୁଣପୁର, (୧୬/୭) : ଆପ୍ର : ଦକ୍ଷିଣ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ରାୟଗଡା ଜିଲ୍ଲା ଗୁଣୁପୁର ର ତଲାରୀ ଯାତ୍ରା ବା ରଥଯାତ୍ରା ପାଇଁ ଆଜି ଗୁଣପୁର ସହରର ଉତ୍ସବ ମୁଖର ହୋଇଉଠିଛି ।
ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆରତି, ସୂର୍ଯ୍ୟପୂଜା, ଅବକାଶ, ବାଳଭୋଗ ବଢିବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମ ସାଙ୍ଗକୁ ଘଣ୍ଟ ଘଣ୍ଟା , ତାଳ ମୃଦଙ୍ଗ ସାଙ୍ଗକୁ ହରିନାମ ସଂକିର୍ତ୍ତନ ରେ ପ୍ରଥମେ ହଳାୟୁଧ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧା ବିଗ୍ରହ ଙ୍କୁ ରଥାରୂଢ କରାଯାଇଥିଲା । ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତନ ର ତାଳେ ତାଳେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ସମୟରେ ଗୁଣପୁର ସହରରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଅପରାହ୍ନ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଦ୍ଵାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବଡ ରଥକୁ ସର୍ବସାଧାରଣ ଟାଣି ନେଇଥିବା ବେଳେ ସାନ ରଥକୁ ମହିଳା ମାନେ ଟାଣିଥିଲେ ।
ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁର ରେ ଭଳିକି ଭଳି ତଲାରୀ ବିକ୍ରି ପାଇଁ ଆସିଥିବା ବେଳେ ଅନେକ କୃଷିଜୀବୀ, ଗୋପାଳ, ପଶୁପାଳକ ମାନେ ଶ୍ରଦ୍ଧାରେ ତାହା କିଣି ନେଉଥିବା ଦେଖିବାକୁ ମିଳିଛି । ମିନା ବଜାର ସାଙ୍ଗକୁ ଭଳିକି ଭଳି ଦୋକାନ ବଜାର ଏହି ଯାତ୍ରାର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସେବାକାରି ସଂସ୍ଥା ପକ୍ଷରୁ ଲୋକଙ୍କୁ ପାନୀୟ ଜଳ, ପଣା, ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରାଜସ୍ବ, ଦେବତ୍ତୋର, ପୁଲିସ, ଦମକଳ, ସ୍ୱାସ୍ଥ୍ୟ ବିଭାଗ,ଆଦିତ୍ୟ ବାହିନୀ, ଏନ୍ ସି ସି କ୍ୟାଡ଼ର ମାନଙ୍କ ଦ୍ଵାରା ସହରର ପ୍ରମୁଖ ଛକ ଓ ବଡ଼ଦାଣ୍ଡରେ ଟ୍ରାଫିକ ନିୟନ୍ତ୍ରଣ , ବ୍ୟାରିକେଡ଼ ଓ ପାର୍କିଂ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଛି । ଗବେଷକ ଡ଼ଃ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ କଥାକାର ଙ୍କ ଦ୍ଵାରା ଅହରହ ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସମ୍ପୁର୍ଣ୍ଣ ରଥଯାତ୍ରା କୁ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଓ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସ୍ବର୍ଣ୍ଣ କ୍ଷେତ୍ର ଗୁଣପୁର ର ଏହି ପ୍ରସିଦ୍ଧ ରଥଯାତ୍ରା ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଆସ୍ଥା, ପରମ୍ପରା ଓ ସାମାଜିକ ସଂପ୍ରୀତିର ଜୀବନ୍ତ ପ୍ରତିକ ହୋଇ ରହିଛି ।

