କଟକ, (୦୭/୧୧) : ଆପ୍ର : ସରକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ୍ ମାମଲାରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।
ଦୋଷୀ ସାବ୍ୟସ୍ତ ପିଇଓ ହେଉଛନ୍ତି ଗିରୀଶ ଚନ୍ଦ୍ର ଶବର । ସେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଚହକା ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ, ଗିରୀଶ ପୂର୍ବରୁ କେସିଙ୍ଗା ବ୍ଲକ୍ର ସିରୋଲ ଓ ଗୋକୁଳେଶ୍ୱର ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ୍ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ ଓ ଆଇପିସିର ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ ସହ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।
ଏହି ମାମଲାର ବିଚାର କରି ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଗିରୀଶ ଚନ୍ଦ୍ର ଶବରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ଅନ୍ୟପକ୍ଷରେ, ଦୋଷୀ ସାବ୍ୟସ୍ତ ହେବା ପରେ ଗିରୀଶ ଚନ୍ଦ୍ର ଶବରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।

