ରାୟଗଡା, (୧୮/୧୦) : ଆପ୍ର : ସକାଳୁ ସକାଳୁ ଭୁବନେଶ୍ୱର–ଜୁନାଗଡ଼ ସୁପରଫାଷ୍ଟ ଟ୍ରେନ୍ରୁ ରାୟଗଡ଼ା ଷ୍ଟେସନରେ ଓହ୍ଲାଇ ବାହାରକୁ ଆସିଲି ।
ମୋ ଆଗରେ ଜଣେ ବୟସ୍କ ବ୍ୟକ୍ତି କାନ୍ଧରେ ବ୍ୟାଗ୍ଟିଏ ପକାଇ ଧୀରେ ଧୀରେ ଚାଲୁଥିଲେ । ତାଙ୍କୁ ଦେଖି ଷ୍ଟେସନ ବାହାରେ ଥିବା ଅନେକ ଅଟୋଚାଳକ ନମସ୍କାର କରୁଥିଲେ । ସେ ମଧ୍ୟ ସମସ୍ତଙ୍କୁ ହସି ହସି ନମସ୍କାରର ପ୍ରତିଉତ୍ତର ଦେଉଥିଲେ । ତାଙ୍କ ବ୍ୟବହାରରେ ଥିଲା ଏକ ସହଜତା ଓ ବିନମ୍ରତା। ଷ୍ଟେସନଠାରୁ ପ୍ରାୟ ୨୦୦ ମିଟର ଚାଲିବା ପରେ ମୁଁ ତାଙ୍କୁ ପଚାରିଲି, “ଆପଣଙ୍କୁ ନେବା ପାଇଁ କେହି ଆସିବେ କି?” ସେ ହସି ହସି କହିଲେ, “ମୁଁ ଟ୍ରେନ୍ରେ ଆସିଛି। ସକାଳୁ ସକାଳୁ ଟିକିଏ ଚାଲିଲେ ବ୍ୟାୟାମ ହୋଇଯିବ, ମୁକ୍ତ ପବନ ମଧ୍ୟ ମିଳିବ । ତେବେ ଚାଲି ଚାଲି ଯିବି ନାହିଁ କାହିଁକି?” ଷ୍ଟେସନଠାରୁ ତାଙ୍କ ଘର ପ୍ରାୟ ଦୁଇ କିଲୋମିଟର ଦୂରରେ । ଅଟୋ ଧରିବା ପରିବର୍ତ୍ତେ ମୁଁ ମଧ୍ୟ ନିଜ ବ୍ୟାଗ୍ଟି ଧରି ତାଙ୍କ ସହିତ ଚାଲିବାକୁ ଆରମ୍ଭ କଲି ।
ସେ ହେଉଛନ୍ତି ୭୭ ବର୍ଷ ବୟସ୍କ ଶିଶୁରୋଗ ବିଶେଷଜ୍ଞ ଡା. ଦୁର୍ଗାପ୍ରସାଦ ତ୍ରିପାଠୀ । ତାଙ୍କ ଜୀବନଶୈଳୀ, ସରଳତା, ନିୟମିତତା ଓ ରୋଗୀସେବା ପ୍ରତି ନିଷ୍ଠା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ସରଳ ଜୀବନ, ନିୟମିତ ଦିନଚର୍ଯ୍ୟା ବୟସର ଏହି ପର୍ଯ୍ୟାୟରେ ମଧ୍ୟ ଡା. ତ୍ରିପାଠୀ ନିଜର ଅଧିକାଂଶ କାମ ନିଜେ କରନ୍ତି । ସକାଳୁ ଉଠି ଘର ଝାଡ଼ୁ ଦେବାଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟ ପର୍ଯ୍ୟନ୍ତ ସେ ନିଜେ ସମ୍ଭାଳନ୍ତି । ଘରୋଇ କାମ ପାଇଁ ମଧ୍ୟ ସେ କୌଣସି ସହାୟକ ରଖିନାହାନ୍ତି । ସହର ଭିତରେ ଯିବାଆସିବା ପାଇଁ ସାଇକେଲ ତାଙ୍କର ପ୍ରିୟ ବାହକ । ତାଙ୍କ ପୋଷାକରେ ମଧ୍ୟ ରହିଛି ସରଳତା—ହାଫ୍ ପ୍ୟାଣ୍ଟ ସହିତ ଟି-ସାର୍ଟ କିମ୍ବା ସାଧାରଣ ଧଳା ସାର୍ଟ ।
ସପ୍ତାହକୁ ଥରେ ରବିବାର ଦିନ କିମ୍ବା ମଝିରେ ମଝିରେ ସକାଳୁ ସକାଳୁ ସେ ରାୟଗଡ଼ା ସହରଠାରୁ ପ୍ରାୟ ୩ରୁ ୪ କିଲୋମିଟର ଦୂର ବାରିଝୋଲାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଆନ୍ତି । ସେଠାରେ ପିଲାମାନଙ୍କ ସହ ମିଶନ୍ତି, ସେମାନଙ୍କ ସ୍ୱାସ୍ଥ୍ୟର ଖବର ନିଅନ୍ତି, ଆବଶ୍ୟକ ପରାମର୍ଶ ଦିଅନ୍ତି ଏବଂ ଔଷଧର ବ୍ୟବସ୍ଥା କରିବାରେ ସହଯୋଗ କରନ୍ତି । ଏହା ଏକ ସେବାମୂଳକ କାର୍ଯ୍ୟ । ଏହି କାମ ସାରି ସେ ଘରକୁ ଫେରନ୍ତି। ତାଙ୍କ ଖାଦ୍ୟପେୟ ମଧ୍ୟ ଅତ୍ୟନ୍ତ ସାଧାରଣ ଓ ନିୟମିତ। ଜଳଖିଆରେ ଚୁଡ଼ା, ଦହି, କଦଳୀ, ଗୁଡ଼ ଓ ନଡ଼ିଆ ଆଦି ଖାଆନ୍ତି । ଅପରାହ୍ନରେ ରୁଟି ସହିତ ସନ୍ତୁଳା କିମ୍ବା ଅନ୍ୟ କୌଣସି ତରକାରୀ ଖାଆନ୍ତି । ସନ୍ଧ୍ୟାରେ ମାଣ୍ଡିଆ ଜାଉ, ଦହି, ମୁଢ଼ି କିମ୍ବା ବାଦାମ ଖାଇଥାଆନ୍ତି । ରାତିରେ ଭାତ ଓ ତରକାରୀ ତାଙ୍କର ଖାଦ୍ୟ ।
ରୋଗୀସେବା ହିଁ ଜୀବନର ଲକ୍ଷ୍ୟ ସକାଳ ପ୍ରାୟ ସାଢ଼େ ନଅଟା କିମ୍ବା ଦଶଟାରୁ ତାଙ୍କ ଘରେ ରୋଗୀ ଦେଖା ଆରମ୍ଭ ହୁଏ । ଅପରାହ୍ନ ଓ ସନ୍ଧ୍ୟାରେ ମଧ୍ୟ ସେ ରୋଗୀମାନଙ୍କୁ ଦେଖନ୍ତି । ଚାରି ସପ୍ତାହରୁ ପ୍ରାୟ ଗୋଟିଏ ସପ୍ତାହ ସେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ନିଜ ଘର ବାହାରେ ଫୋନ୍ ନମ୍ବର ଲେଖି ରଖିଛନ୍ତି । ରୋଗୀଙ୍କ ପରିବାର ଫୋନ୍ କଲେ ସେ ଯଥାସମ୍ଭବ ପରାମର୍ଶ ଦିଅନ୍ତି । ଡାକ୍ତରୀ ତାଙ୍କର ପେଶା ଥିଲା, କିନ୍ତୁ ରୋଗୀସେବା କେବଳ ପେଶା ମଧ୍ୟରେ ସୀମିତ ହୋଇ ରହିନାହିଁ । ସେ ନିଜର ନିୟମିତ ଫି ନେଉଥିଲେ ମଧ୍ୟ ସମସ୍ତଙ୍କଠାରୁ ଫି ନିଅନ୍ତି ନାହିଁ ।
ଅନାବଶ୍ୟକ ଔଷଧ ଲେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ହସ ହସ ମୁହଁରେ ରୋଗୀଙ୍କ କଥା ଶୁଣିବା, ସେମାନଙ୍କୁ ବୁଝାଇବା ଓ ଆବଶ୍ୟକ ପରାମର୍ଶ ଦେବା ତାଙ୍କ ସେବାର ଅଂଶ । ରାୟଗଡ଼ା ସହରର ଅନେକ ପରିବାର ତାଙ୍କର ଚିକିତ୍ସା ଓ ପରାମର୍ଶ ପାଇଛନ୍ତି । ଅନେକ ଶିଶୁ ତାଙ୍କ ପାଖରେ ଚିକିତ୍ସିତ ହୋଇ ବଡ଼ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ସେ କେବଳ ଜଣେ ଡାକ୍ତର ନୁହନ୍ତି, ବରଂ ପରିବାରର ଜଣେ ଆତ୍ମୀୟ ସଦସ୍ୟଙ୍କ ପରି । ଶିକ୍ଷା ଓ ଦୀର୍ଘ କର୍ମଜୀବନ ଡା. ତ୍ରିପାଠୀଙ୍କ ଜନ୍ମ କଟକ ଜିଲ୍ଲାରେ। ତାଙ୍କର ପାଠପଢ଼ା ଭୁବନେଶ୍ୱରରେ ହୋଇଥିଲା ।
ସେଠାରେ ହାଇସ୍କୁଲ ଶିକ୍ଷା ଶେଷ କରି ବି.ଜେ.ବି. କଲେଜରେ ଆଇ.ଏସ୍.ସି. ପଢ଼ିଥିଲେ । ପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । ଶିଶୁରୋଗ ବିଶେଷଜ୍ଞ ଭାବେ ଅଧିକ ଜ୍ଞାନ ଓ ଦକ୍ଷତା ହାସଲ କରିବା ପାଇଁ ସେ ଦିଲ୍ଲୀରେ ଦୁଇ ବର୍ଷ ଅଧ୍ୟୟନ କରିଥିଲେ । ପରେ ଉଚ୍ଚତର ଜ୍ଞାନ ଆହରଣ ପାଇଁ ତିନି ମାସ ଲଣ୍ଡନ ଯାଇଥିଲେ । ନିଜ ଛାତ୍ରଜୀବନ ଓ କର୍ମଜୀବନ ସମ୍ପର୍କରେ ସେ କହନ୍ତି, “ମୁଁ ୧୯୬୬ ମସିହାରେ ମାଟ୍ରିକ୍ ପାସ୍ କଲି ଏବଂ ୧୯୭୭ ମସିହାରେ ଡାକ୍ତର ଭାବେ ସରକାରୀ ଚାକିରିରେ ଯୋଗ ଦେଲି । ପ୍ରଥମ ପାଞ୍ଚ ବର୍ଷ ଖରିଆରରେ କଟିଲା । ୧୯୮୭ ମସିହାରେ ରାୟଗଡ଼ା ଆସିଲି । ମୁଁ ରାୟଗଡ଼ାକୁ ଭଲ ପାଇଲି, ଏଠାକାର ଲୋକମାନେ ମଧ୍ୟ ମୋତେ ଭଲ ପାଇଲେ ।
ମୁଁ ନିଷ୍ଠାର ସହ ରୋଗୀସେବା କରିଥିଲି। ପରେ ସି.ଡି.ଏମ୍.ଓ. ଭାବେ ଦାୟିତ୍ୱ ତୁଲାଇଲି । ୨୦୧୧ ମସିହାରେ ରାୟଗଡ଼ା ଜିଲ୍ଲାରେ ସରକାରୀ ଚାକିରିରୁ ଅବସର ନେଲି । ତା’ପରଠାରୁ ନିଜ ଘରେ ରୋଗୀସେବା ଜାରି ରଖିଛି ।” ଆଧ୍ୟାତ୍ମିକତା ଓ ମାନବିକ ଦୃଷ୍ଟିକୋଣ ଡା. ତ୍ରିପାଠୀଙ୍କ ଜୀବନରେ ଆଧ୍ୟାତ୍ମିକତାର ଏକ ବିଶେଷ ସ୍ଥାନ ରହିଛି । ଭୁବନେଶ୍ୱରରେ ପିଲାଦିନୁ ରହିବା ସମୟରେ ରାମକୃଷ୍ଣ ମିଶନ ମାଧ୍ୟମରେ ସେ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ସହ ପରିଚିତ ହୋଇଥିଲେ। ସେମାନଙ୍କ ରଚିତ ପୁସ୍ତକ ପଢ଼ିଥିଲେ ।
ପରବର୍ତ୍ତୀ ସମୟରେ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଲେଖା ପଢ଼ିବା ସହ ପଣ୍ଡିଚେରୀ ଆଶ୍ରମକୁ ଯାଇଥିଲେ । ଓମ୍ ଶାନ୍ତି ଓ ବିଭିନ୍ନ ଦାର୍ଶନିକ ଚିନ୍ତାଧାରା ସହ ମଧ୍ୟ ସେ ପରିଚିତ ହୋଇଛନ୍ତି । ସେ କୌଣସି ଧର୍ମୀୟ ସୀମା ମଧ୍ୟରେ ନିଜକୁ ଆବଦ୍ଧ ନ ରଖି ଆଧ୍ୟାତ୍ମିକତାକୁ ଜୀବନରେ ଆପଣାଇଛନ୍ତି । ତାଙ୍କ ମତରେ, ଜୀବନ ହେଉଛି ଶିଖିବାର ଏକ ନିରନ୍ତର ପ୍ରକ୍ରିୟା । ବିଭିନ୍ନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେ ଅନେକ କିଛି ଶିଖିଛନ୍ତି ଓ ଶିଖିବା ଜାରି ରଖିଛନ୍ତି । ରାୟଗଡ଼ାରେ ଦୀର୍ଘ ବର୍ଷ ଧରି ରହିବା ଫଳରେ ଅନେକ ଲୋକଙ୍କ ସହ ତାଙ୍କର ଆତ୍ମୀୟ ସମ୍ପର୍କ ଗଢ଼ିଉଠିଛି। ବିଭିନ୍ନ ପର୍ବପର୍ବାଣୀ, ଜନ୍ମଦିନ ଓ ପାରିବାରିକ ଅବସରରେ ଲୋକମାନେ ତାଙ୍କ ପାଇଁ ଖାଦ୍ୟ ପଠାନ୍ତି ।
ଏହି ଆତ୍ମୀୟତା ତାଙ୍କୁ ରାୟଗଡ଼ା ର ଏକ ବଡ଼ ପରିବାରର ସଦସ୍ୟ କରିଦେଇଛି । ସାଇକେଲ, ସ୍ୱାଧୀନତା ଓ ସେବାର ଆନନ୍ଦ ଡା. ତ୍ରିପାଠୀଙ୍କ ସାଇକେଲ ଚଳାଇବା ଅଭ୍ୟାସ କେବଳ ଯାତାୟାତର ଏକ ମାଧ୍ୟମ ନୁହେଁ; ଏହା ତାଙ୍କ ସରଳ ଜୀବନ ଓ ସ୍ୱାଧୀନ ମନୋଭାବର ପ୍ରତୀକ । ସେ ନିଜର ଅଧିକାଂଶ କାମ ସାଇକେଲରେ ଯାଇ କରନ୍ତି। ଗ୍ରୀଷ୍ମ ଋତୁର ଏପ୍ରିଲ, ମେ ଓ ଜୁନ୍ ମାସରେ ସେ ନିଜ ପୁଅଙ୍କ ପାଖକୁ ସ୍ୱିଜରଲ୍ୟାଣ୍ଡ ଯାଆନ୍ତି । ସେଠାରେ ରହିଲେ ମଧ୍ୟ ଫୋନ୍ ମାଧ୍ୟମରେ ରୋଗୀଙ୍କୁ ପରାମର୍ଶ ଦେବା ଜାରି ରଖନ୍ତି ।
ତାଙ୍କ ଜୀବନର ଦର୍ଶନ ଅତ୍ୟନ୍ତ ସରଳ । ସେ କହନ୍ତି, “ମୁଁ ଭଗବାନଙ୍କୁ ମନେ ରଖି ରୋଗୀସେବା କରୁଛି। ମୁଁ ଯାହାକୁ ସତ୍ୟ ବୋଲି ଭାବୁଛି, ତାହା ହିଁ କରୁଛି । ବୋଧହୁଏ ସେଥିପାଇଁ ଭଗବାନ ମୋତେ ଏବେ ବି ସକ୍ରିୟ ରଖିଛନ୍ତି । ” ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ ସେ ଜାଣନ୍ତି ଯେ ପିଲାଙ୍କ ଚିକିତ୍ସାରେ ଔଷଧ ସହିତ ସ୍ନେହ, ହସ ଓ ଆତ୍ମୀୟତାର ମଧ୍ୟ ଗୁରୁତ୍ୱ ରହିଛି । ଜଣେ ଶିଶୁ ପାଇଁ ଡାକ୍ତରଙ୍କ ହସ ହସ ମୁହଁ ଅନେକ ସମୟରେ ଆଶ୍ୱାସନା ଓ ଭରସାର ଉତ୍ସ ହୋଇଥାଏ ।
ଡା. ଦୁର୍ଗାପ୍ରସାଦ ତ୍ରିପାଠୀଙ୍କ ଜୀବନ ଆମକୁ ଶିଖାଏ ଯେ ସେବା ପାଇଁ ବଡ଼ ବଡ଼ କଥା କହିବା ଆବଶ୍ୟକ ନୁହେଁ। ନିଜ କାମ ପ୍ରତି ନିଷ୍ଠା, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳତା, ସରଳ ଜୀବନ ଓ ଶିଖିବାର ଆଗ୍ରହ ହିଁ ଜଣେ ମଣିଷକୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ କରିପାରେ। ତାଙ୍କ ପରି ବ୍ୟକ୍ତିତ୍ୱ ଆମ ସମାଜରେ ରହିବା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ସେ ଆହୁରି ଦିନ ଧରି ସୁସ୍ଥ ରହି ଶିଶୁମାନଙ୍କୁ ସ୍ନେହ, ରୋଗୀମାନଙ୍କୁ ସେବା ଓ ସମାଜକୁ ସରଳ ଜୀବନ ବଂଚିବାର ପ୍ରେରଣା ଦେଇଚାଲନ୍ତୁ—ଏହା ହିଁ କାମନା କରିଛନ୍ତି ସହର ବାସୀ ।

