ସୁବର୍ଣ୍ଣପୁର, (୧୯/୦୮) : ଆପ୍ର : ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ସୁବର୍ଣ୍ଣପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା ।
ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ସ୍ଥାନୀୟ ନେତୃବୃନ୍ଦ ଙ୍କ ସହ ଜିଲ୍ଲା ର ଯୁବକ ଓ ଅଗଣିତ ଛାତ୍ର ଯୋଗଦେଇ ଶିକ୍ଷା ଆମର ଅଧିକାର, ଶିକ୍ଷା ର ସୁରକ୍ଷା ଆମର ଦାବି ଭଳି ବିଭିନ୍ନ ନାରା ଦେଇଥିଲେ । ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଇସ୍ତାଫା ଦାବି କରିବାସହ ତୁରନ୍ତ ନୂତନ ଓ ନିର୍ଭୁଲ ବହି ଯୋଗାଣ ତଥା ଅନ୍ୟାନ୍ୟ ଅବ୍ୟବସ୍ଥା ର ବିରୁଦ୍ଧରେ ଏକତା ବଦ୍ଧ ଲଢ଼େଇ ଜାରି ରଖିବାକୁ ବଜ୍ର ଶପଥ ନେଇଥିଲେ। ଏହି ବିକ୍ଷୋଭ ସମାବେଶ ରେ ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପଦ୍ମନାଭ ବେହେରା,ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, ଯୁବ ଜନତା ରାଜ୍ୟ ଉପ ସଭାପତି ଶାସ୍ଵତ ମିଶ୍ର, ଛାତ୍ର ଜନତା ରାଜ୍ୟ ସଧାରଣ ସମ୍ପାଦକ ଅମୀୟ ରଞ୍ଜନ ଦାଶ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଭିଷେକ ଶର୍ମା, ବିଜେଡି ଟାଉନ୍ ସଭାପତି ଦେବାଶିଷ ପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ନାରାୟଣ ଲୁହା ତଥା ବିଜେଡ଼ି ର ସମସ୍ତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବର୍ଷିଥିଲେ । ସ୍ଥାନୀୟ ବ୍ଲକ ଛକରୁ ଏକ ବିଶାଳ ଶୋଭାଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରି ଥିବା ଏହି ଶୋଭାଯାତ୍ରାରେ ହଜାର ହଜାର କର୍ମୀ, ଛାତ୍ରଛାତ୍ରୀ ଓ ସମର୍ଥକ ସ୍ଵତଃ ଯୋଗଦେଇଥିଲେ ।

