ନବରଙ୍ଗପୁର // ଉମରକୋଟ, (୩୧/୦୫) : ଆପ୍ର : କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ । ୨୨ଟି କଇଁଛ ଜବତ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ନାୟକଗୁଡା ଅଞ୍ଚଳରେ କଇଁଛ ବିକ୍ରି ସମୟରେ ମାଡ଼ି ବସିଲା ବନ ବିଭାଗ । ଚଢ଼ାଉ ବେଳେ ବନ ବିଭାଗ ୨୨ଟି ଜୀବନ୍ତ କଇଁଛ ଜବତ କରିବା ସହ ଏକ ବାଇକ୍ ମଧ୍ୟ ଜବତ କରିଛି । ବନ ବିଭାଗକୁ ଦେଖି ଘଟଣାସ୍ଥଳରୁ ଚୋରା ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଉମରକୋଟ ବନ ବିଭାଗ କର୍ମଚାରୀମାନେ ନାୟକଗୁଡା ଠାରେ ଅଚାନକ ଚଢ଼ାଉ କରିଥିଲେ ।
ଜଣେ ବ୍ୟକ୍ତି ନାୟକଗୁଡାଠାରେ କଇଁଛ ବିକ୍ରି କରିବା ପାଇଁ ଆଣିଥିବା ବେଳେ ବନ ବିଭାଗ ସେଠାରେ ପହଞ୍ଚି ଯାଇଥିଲା। ବନ ବିଭାଗ କର୍ମଚାରୀଙ୍କୁ ଅଚାନକ ସମ୍ମୁଖରେ ଦେଖି ଚୋରା ଚାଲାଣକାରୀ ନିଜ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଖସି ଫେରାର ହୋଇ ଯାଇଥିଲା । ଜବତ ହୋଇଥିବା ଏହି କଇଁଛ ଗୁଡ଼ିକ କଳାହାଣ୍ଡି ଜିଲ୍ଲାରୁ ଚୋରା ଚାଲାଣ କରାଯାଇ ଆଣିଥିବା ଅନୁମାନ କରାଯାଉଛି । ଏହି କଇଁଛ ଚୋରା ଚାଲାଣ ପଛରେ ଆଉ କାହାର ହାତ ରହିଛି । ଏହି ରାକେଟରେ କିଏ କିଏ ସାମିଲ ଅଛନ୍ତି, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

