ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁତର ମହିଳା ଜଣଙ୍କ ହେଲେ ଜଗନ୍ନାଥପୁର ଗ୍ରାମର ଧିରେନ ସାହୁଙ୍କ ସ୍ତ୍ରୀ ଜପ ସାହୁ (୬୩) ବୋଲି ଜଣାପଡ଼ିଛି । ସୂଚନା ଯେ, ଆଜି ଭୋର ୫ଟା ବେଳେ ଘର ଠାରୁ ଅଧା କିଲୋମିଟର ଦୂରରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଜପ ଯାଇଥିଲେ । ଆମ୍ବ ଗୋଟାଇବା ବେଳେ ହାତୀକୁ ଦେଖି ଦୌଡ଼ିବା ବେଳେ ହାତୀଟି ଜପକୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଗାଁ’ର କିଛି ଲୋକ ସେଠାରେ ଥିବା ବେଳେ ହୋହାଲ୍ଲା କରିବାରୁ ହାତୀଟି ଜଙ୍ଗଲକୁ ପଳାଇଥିଲା ।
ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି ଜପଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଜପଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗୁଥିବା ବେଳେ ବାମହାତଟି ଭାଙ୍ଗି ଥିବା ଜଣା ପଡ଼ିଛି । ଗତ ୫ ତାରିଖ ଦିନ ସେହି ଗାଁ’ରୁ ସୁଭଦ୍ରା ସାହୁ ଆମ୍ବ ଗୋଟାଇବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

