ଭୁବନେଶ୍ୱର, (୩୦/୦୮) : ଆପ୍ର : ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି ।
ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିସାରିଛନ୍ତି। ତେବେ ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବାକି ଚାଷୀମାନଙ୍କୁ ପଞ୍ଜୀକରଣର ସୁଯୋଗ ଦେବାକୁ ସରକାର ଅବଧି ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ, କେତେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁଁ ପଞ୍ଜୀକରଣରେ ବାଧା ଉପୁଜୁଥିବା ଅଭିଯୋଗ ଆସିଛି । ଯେଉଁ ସ୍ଥାନରେ ନେଟୱାର୍କ ସମସ୍ୟା ରହିଛି, ସେଠାରେ ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି । ଅବଧି ବୃଦ୍ଧି ଫଳରେ ପଞ୍ଜୀକରଣରୁ ବଞ୍ଚିତ ଚାଷୀମାନେ ଆଉ ଥରେ ସୁଯୋଗ ପାଇବେ ।

