ଲୋଇସିଂହା, (୩୦/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଉପରବାହାଲ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ବୃହତ୍ ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି ।
“ଡିବିରି” ଟ୍ରଷ୍ଟ ଆନୁକୂଲ୍ୟରେ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର, ପଲ୍ଲୀ ଆଲୋକ ପାଠାଗାର, ବିକାଶ ହସ୍ପିଟାଲ ଏବଂ “ଏଲିମକୋ”ର ମିଳିତ ସହାୟତାରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଶିବିରରେ ଉପସ୍ଥିତ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ବଣ୍ଟନ କରାଯାଇଥିଲା । ଏଥିସହିତ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପୁଷ୍ପାଞ୍ଜଳି ମିଶ୍ର, ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ. ଶେଖରଲାଲ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ “ଡିବିରି”ର ସଭାପତି ସୁରେଶ ମହାଲିଙ୍ଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

