ସମ୍ବଲପୁର, (୩୦/୦୮) : ଆପ୍ର : ଚଳିତ ସପ୍ତାହରେ ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ଜଳପ୍ରଳୟ ପରେ ମହାନଦୀରେ ନିର୍ମିତ ଏସିଆର ଅନ୍ୟତମ ବୃହତ୍ତମ ମାଟିବନ୍ଧ ‘ହୀରାକୁଦ’ର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଦୈବାତ୍ ଜଳଭଣ୍ଡାର ଉପରେ ଅତ୍ୟଧିକ ଜଳଚାପ ପଡ଼େ, ତେବେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)ଙ୍କ ନିର୍ଦେଶକ୍ରମେ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ପ୍ରକ୍ରିୟାକୁ ପୁଣିଥରେ ତ୍ୱରାନ୍ୱିତ କରାଯାଇଛି।ସମ୍ବଲପୁର ମୁଖ୍ୟବନ୍ଧ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୬ ମସିହାରେ ପ୍ରସ୍ତୁତ ଡିପିଆର୍ ଆଧାରରେ ପ୍ରକଳ୍ପ ପାଇଁ ଏକ ନୂତନ ଟେଣ୍ଡର୍ ଆହ୍ୱାନ କରାଯିବ ।
ପୂର୍ବରୁ ଟାଟା ଇନ୍ଫ୍ରା ନାମକ ସଂସ୍ଥା ଏହି କାମ ଆରମ୍ଭ କରିଥିଲେ ହେଁ ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ୨୦୨୦ରେ କାମ ଅଧାରୁ ଛାଡ଼ି ଚାଲିଯାଇଥିଲା । ତେବେ ବର୍ତ୍ତମାନ ବିଶ୍ୱବ୍ୟାଙ୍କ ସହାୟତାରେ ‘ଡ୍ୟାମ୍ ରିହାବିଲିଟେସନ୍ ଆଣ୍ଡ୍ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ’ (ଡିଆର୍ଆଇପି) ଅଧୀନରେ ୮୮୪ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ପ୍ରକ୍ରିୟା ରାଜ୍ୟ ସଚିବାଳୟସ୍ତରରେ ଜାରି ରହିଛି । ସିଡବ୍ଲୁସିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟେଣ୍ଡର୍ ପ୍ରକ୍ରିୟା ପାଇଁ ଡାଟା ପ୍ରସ୍ତୁତି କାମ ଜୋରସୋରରେ ଚାଲିଥିବା ଅତିରିକ୍ତ ସ୍ପିଲ୍ୱେ ଅଧୀକ୍ଷଣ ଯନ୍ତ୍ରୀ ଲିଙ୍ଗରାଜ ନାଥ ସୂଚନା ଦେଇଛନ୍ତି ।
୧୯୫୭ ମସିହାରେ କାର୍ଯ୍ୟକ୍ଷମ ହେବା ଦିନଠାରୁ ୮୩,୪୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳଗ୍ରହଣ ଅଞ୍ଚଳରୁ ନିରନ୍ତର ଆସୁଥିବା ପଟୁ ଯୋଗୁଁ ହୀରାକୁଦର ଜଳଧାରଣ କ୍ଷମତା ପ୍ରାୟ ୨୪ %ରୁ ଅଧିକ ହ୍ରାସ ପାଇଛି । ସିଡବ୍ଲୁସି ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ବୃହତ୍ ଡ୍ୟାମ୍ରେ ସମ୍ଭାବ୍ୟ ସର୍ବାଧିକ ବନ୍ୟାଜଳକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା କ୍ଷମତା ରହିବା ଅନିବାର୍ଯ୍ୟ। ବର୍ତ୍ତମାନ ଥିବା ୯୮ଟି ଗେଟ୍ (୬୪ଟି ସ୍ଲୁଇସ୍ ଓ ୩୪ଟି କ୍ରେଷ୍ଟ ଗେଟ୍) ଦ୍ୱାରା ସର୍ବାଧିକ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହୋଇପାରୁଛି । ନୂତନ ସ୍ପିଲ୍ୱେ ନିର୍ମାଣ ହେଲେ ଜଳ ନିଷ୍କାସନ କ୍ଷମତା ବୃଦ୍ଧି ପାଇ ୨୪ଲକ୍ଷ କ୍ୟୁସେକରେ ପହଞ୍ଚିବ ବୋଲି ମୁଖ୍ୟବନ୍ଧ ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି ।
ପ୍ରକଳ୍ପ ନକ୍ସା ଅନୁସାରେ ଗାନ୍ଧୀମୀନାର ଥିବା ପାହାଡ଼ ନିକଟବର୍ତ୍ତୀ ବାମ ଡାଇକ୍ ପାର୍ଶ୍ୱରେ ଏକ ୧.୯ କିଲୋମିଟର ଦୀର୍ଘ ଅତିରିକ୍ତ ସ୍ପିଲ୍ୱେ ଚ୍ୟାନେଲ ନିର୍ମାଣ କରାଯିବ। ଏହାଦ୍ୱାରା ମୂଳ ମାଟିବନ୍ଧ ଉପରେ ଅତିରିକ୍ତ ଚାପ ନ ପଡ଼ି ବନ୍ୟାଜଳ ସୁରକ୍ଷିତ ଭାବେ ମହାନଦୀର ମୁଖ୍ୟସ୍ରୋତରେ ମିଶିପାରିବ । ଏହି ପ୍ରକଳ୍ପ ପାଇଁ ବାମ ଡାଇକ୍ ନିକଟସ୍ଥ ଜନବସତି ସ୍ଥାନାନ୍ତରଣ ଏକ ବଡ଼ ସାମାଜିକ ଆହ୍ୱାନ ଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୯୦% ବିସ୍ଥାପନ ଓ ପ୍ରତ୍ୟାର୍ପଣ କାର୍ଯ୍ୟ ଶେଷ ହୋଇସାରିଥିବାରୁ ପ୍ରକଳ୍ପ ନିର୍ମାଣ ପାଇଁ ବାଟ ପରିଷ୍କାର ହୋଇଥିବା ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି, ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିରୁ ଏହି ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ସମ୍ପୂର୍ଣ୍ଣ ଅନୁକୂଳ ଓ ଜରୁରୀ । ଏହାଦ୍ୱାରା ବନ୍ଧ ସୁରକ୍ଷିତ ରହିବା ସହ କଟକ, ନୟାଗଡ଼ ଭଳି ତଳମୁଣ୍ଡ ଜିଲାଗୁଡ଼ିକ ମଧ୍ୟ ବନ୍ୟାଦାଉରୁ ରକ୍ଷା ପାଇବେ ।

