ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ

Date:

Share post:

ଭୁବନେଶ୍ବର, (୧୩/୦୬) : ଆପ୍ର : ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ।

ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା ।

ଜିଲ୍ଲାପାଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଆଧାରରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଏହା ଉପରେ ମାସେ କାଳ ଜନସାଧାରଣଙ୍କ ମତାମତ ନିଆଯିବା ପରେ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି । ରାଜ୍ୟ ସରକାର ଏନେଇ ଖୁବ୍ ଶୀଘ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବେ । ଏହା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ ଏବଂ ଜନଗଣନା କମିଶନଙ୍କ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କ ରେକର୍ଡରେ ଏହି ସଂଶୋଧନ କରିବା ପାଇଁ ଅନୁରୋଧ କରାଯିବ ।

ସେହିପରି କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯’ରେ ସଂଶୋଧନ କରାଯାଇଛି । ଏଣିକି ସରକାରୀ କର୍ମଚାରୀମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ । ବର୍ତ୍ତମାନର ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା HRMS ପୋର୍ଟାଲ୍ ଜରିଆରେ ସମ୍ପତ୍ତି ତାଲିକା ଦେବାର ନିୟମ ଥିଲେ ମଧ୍ୟ ଅନେକ କର୍ମଚାରୀ ଏଥିରେ ଅବହେଳା କରୁଥିଲେ ।

ନୂଆ ସଂଶୋଧନ ଅନୁଯାୟୀ, ସମୟସୀମା ମଧ୍ୟରେ ତାଲିକା ଦାଖଲ ନକଲେ କିମ୍ବା ବିଳମ୍ବ କଲେ OCS (CC&A) ରୁଲ୍ସ, ୧୯୬୨ର ଧାରା ୧୬ ଅନୁଯାୟୀ ବିଭାଗୀୟ ଦଣ୍ଡବିଧାନ କରାଯିବ । ଯଦି କେହି ଭୁଲ୍ କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରନ୍ତି ତେବେ ଧାରା ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ଗୁରୁତର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...