ସମ୍ବଲପୁର, (୧୯/୦୯) : ଆପ୍ର : ବ୍ୟବସାୟରେ ଅଧିକ ଲାଭର ଆଶା ଦେଖାଇ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗରେ ସାଇବର ପୁଲିସ ୩ ଭାଇ ଓ ଭଉଣୀଙ୍କୁ ଗିରଫ କରିଛି ।
ଏହି ମର୍ମରେ ସମ୍ବଲପୁର ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଗତ ଦିନରେ ଟଙ୍କାର ଆବଶ୍ୟକତା ଥିବାରୁ ୟୁଟୁ୍ୟବ ଜରିଆରେ ଅଭିଯୁକ୍ତ ଭାଇ ଓ ଭଉଣୀ ମାନେ ସାଇବର ଠକେଇ କରିବାର ଯୋଜନା କରିଥିଲେ । ସେମାନେ ‘ଦିଶା ଅଗ୍ରୱାଲ’ ନାମରେ ନକଲି ଫେସବୁକ ଆଇଡି କରି ଟଙ୍କା ଦ୍ୱିଗୁଣ କରି ଦେବାର ପ୍ରଲ୍ପୋଭନ ଦେଖାଇ ଭାରତୀ ଏକ୍ସା ଲାଇଫ ଇନସୁ୍ୟରାନ୍ସ କମ୍ପାନୀର ରାଉରକେଲା ବ୍ରାଞ୍ଚରେ କାର୍ଯ୍ୟରତ ଲିପକ କୁମାର ପ୍ରଧାନ (୩୮) ନାମକ ଯୁବକଙ୍କ ସହିତ ଯୋଗାଯୋଗ କରିଥିଲେ ।
ଏହା ପରେ ଗତ ଜୁନ ମାସରେ ସମ୍ବଲପୁରର ଦୁର୍ଗାପାଲି ସ୍ଥିତ ଏକ ସମ୍ରାନ୍ତ ହୋଟେଲରେ ଭେଟ ହେବା ଯୁବତୀ ଜଣକ ନିଜକୁ ଦିଶା ଅଗ୍ରୱାଲ ବୋଲି ପରିଚୟ ଦେବା ସହିତ ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଆସିଥିଲେ । ସାକ୍ଷାତକାର ସମୟରେ ବ୍ୟବସାୟରେ ପୁଞ୍ଜି ଖଟାଇଲେ ଅଧିକ ଲାଭ ହେବାର ଆଶା ଦେଖାଇବା ସହିତ ଏକ ଯନ୍ତ୍ର ଜରିଆରେ ପଇସା ୨ ଗୁଣା କରି ଦେବାର ଆଶା ସେମାନେ ଦେଇଥିଲେ । ସେମାନଙ୍କ କଥାରେ ବିଶ୍ୱାସ କରିବା ପରେ ଅଭିଯୁକ୍ତ ମାନେ ଯୁବକଙ୍କୁ ୨୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ରାଜି ହୋଇ ଯୁବକ ଜଣକ ବ୍ୟାଙ୍କରୁ ଋଣ ଓ ବିଭିନ୍ନ ସୁତ୍ରରୁ ୨୫ ଲକ୍ଷ ଟଙ୍କା ଯୋଗାଡ କରିବା ପରେ ଅଭିଯୁକ୍ତଙ୍କ ପରାମର୍ଶ ଅନୁଯାୟୀ ଅନୁଗୁଳକୁ ଯାଇଥିଲେ । ଅନୁଗୁଳର ଏକ ସମ୍ରାନ୍ତ ହୋଟେଲରେ ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁ ପିଡିତ ଯୁବକଙ୍କୁ ଭେଟିବା ପରେ ବ୍ୟବସାୟ ଆଳରେ ବେଶ କିଛି ସମୟ କଥା ହେବା ପରେ ସେ ଆଣିଥିବା ଟଙ୍କା ଗୁଡିକୁ ଅନ୍ୟ ଏକ ବ୍ୟାଗ ଏବଂ ମହିଳାଙ୍କ ଭ୍ୟାନିଟି ବ୍ୟାଗରେ ଭର୍ତ୍ତି କରିବାକୁ କହିଥିଲେ ।
ଏହା ପରେ ହୋଟେଲର ଉପର ମହଲାକୁ ଡାକି ନେଇ ଚଞ୍ଚକତା କରି ସେହିଭଳିଆ ଏକ ସମାନ ବ୍ୟାଗ ତାଙ୍କୁ ଧରାଇ କିଛି ସମୟ ଅପେକ୍ଷା କରିବାକୁ କହି ଠକ ଯୁବତୀ ଓ ଯୁବକ ହୋଟେଲରୁ ଫେରାର ମାରିଥିଲେ । କିଛି ସମୟ ଅପେକ୍ଷା କରିବା ପରେ ଯୁବକ ଜଣକ ତୁରନ୍ତ ହୋଟେଲର ରିସେପ୍ସନରେ ପଚାରିବାରୁ ଉକ୍ତ ଯୁବକ ଓ ଯୁବତୀ ଚାଲି ଯାଇଥିବାର କହିଥିଲେ । ଏଣୁ ଆର୍ଥିକ ଠକେଇ ହୋଇଥିବା ଜାଣି ତାଙ୍କ ପାଖରେ ଥିବା ବ୍ୟାଗକୁ ଚେକିଂ କରିବାରୁ ଉକ୍ତ ବ୍ୟାଗରେ କିଛି ନୋଟବୁକ ଏବଂ ଅନ୍ୟାନ୍ୟ ରଦି କାଗଜ ଗୁଡିକ ରହିଥିଲା । ଫଳରେ ସାଇବର ଠକେଇର ଶିକାର ହୋଇଥିବାର ଜାଣି ପିଡିତ ଯୁବକ ଗତ ୨୯ ଜୁନରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏଣୁ ସାଇବର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।
ତଦନ୍ତ ସମୟରେ ଏହି ଘଟଣାରେ ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ବାବୁପଡାର ମୂଳ ନିବାସୀ ତଥା ଏବେ ସିଂହପାଲି, କାଈଁଶୀର ଠାରେ ରହୁଥିବା ଝରଣା ବାଦୀ (୩୮), ରାଜକୁମାରୀ ବାଦୀ (୨୪) ଓ ରାଜେଶ ବାଦୀ (୩୨) ୩ ଭାଇ ଭଉଣୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଭଉଣୀ ଓ ଭାଇ ଙ୍କ ନିକଟରୁ ୧୫ ଲକ୍ଷ ୫୦ ହଜାର ଟଙ୍କା ନଗଦ, ୧୨ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାରର ସୁନା ଓ ରୂପା ଗହଣା, ୨୦ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ଗୋଟିଏ ଟାବଲେଟ, ବିଭିନ୍ନ ଯନ୍ତ୍ର, ଆକ୍ଟିଭା ସ୍କୁଟର, ନକଲି ଆଧାର କାର୍ଡ ଆଦି ସାଇବର ଠକେଇରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି । ପୁର୍ବରୁ ଅଭିଯୁକ୍ତ ରାଜେଶ ବାଦୀ ମୁଥୁଟ ଫାଇନାନ୍ସ କମ୍ପାନୀରେ ଚାକିରୀ କରୁଥିବା ବେଳେ ସେ ସମୟରେ କମ୍ପାନୀରେ ରଖାଯାଇଥିବା ସୁନାଗହଣା ଗୁଡିକୁ ଏହି ସାଇବର ଠକେଇର ଟଙ୍କା ଦ୍ୱାରା ମୁକୁଳା ଯାଇଥିଲା । ଉକ୍ତ ସୁନାଗହଣା ଗୁଡିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି ।
ଏଥି ସହ ରାଉରକେଲା ଅଞ୍ଚଳରେ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଏହି ଭାଇ ଭଉଣୀ ମାନେ ଠକେଇ କରିଥିବାର ପ୍ରାଥମିକ ତଦନ୍ତରେ ଜଣାପଡିଛି । ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ପୁନଃ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ଏସପି ଶ୍ରୀ ଭାମୂ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଡ. ଶଶାଙ୍କ ଶେଖର ବେଉରା, ଡିଏସପି ଯୋଗେଶ ପଣ୍ଡା, ଡିଏସପି ଈଶ୍ୱର ତାଣ୍ଡି ଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

