Homecrimeହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କଲା ଗୁଣପୁର ପୋଲିସ

ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କଲା ଗୁଣପୁର ପୋଲିସ

ଗୁଣପୁର, (୧୭/୯) : ଆପ୍ର : କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆ ଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତଵିକ୍ଷତ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ୫୬ ବର୍ଷୀୟ ପାତିକା ମାତିଆଙ୍କ ମୃତଦେହ ପଡ଼ିଥିବା ବେଳେ ନିକଟରେ ତାଙ୍କ ବାଇକ୍‌ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗୁଣପୁର ପୋଲିସ ୧୫ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଗୁଣପୁର ବ୍ଲକ ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମର ପାତିକା ମାତିଆଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରିଦେଇଥିବା ପୋଲିସ ସୂଚନା ଦେଇଛି

ଦୁର୍ବୃତ୍ତ ମାନେ ଠେଙ୍ଗାରେ ପିଟି ପିଟି ମାରିଦେବା ପରେ ଗ୍ରାମ ନିକଟ ଏକ ମାଟି ରାସ୍ତା ପାର୍ଶ୍ୱରେ ଥିବା ଖାଲ ଭିତରକୁ ବାଇକ ସହ ମୃତଦେହକୁ ଫିଙ୍ଗି ଦେଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ସେପ୍ଟେମ୍ବର ୩ ତାରିଖରେ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ । ଗୁଣପୁର ଥାନା ଅଧିକାରୀ କେ କେ ବି କେ କଅଁର ଏକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହ ଅନୁସନ୍ଧାନ କୁକୁର ସହାୟତାରେ ତଦନ୍ତ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢାଇଥିଲା ।

ଆଜି ମୃତ ବ୍ୟକ୍ତି ପାତିକା ମାତିଆ ହତ୍ୟାକାଣ୍ଡ ଘଟଣାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ କାକିତାରା ଗ୍ରାମର ବିଡିକା ରାମ ଚନ୍ଦ୍ର (୨୨), ବିଡିକା ରମେଶ (୨୩) , ବିଡିକା ସନ୍ତୋଷ (୨୧), ଲିଙ୍ଗରାଜ ମାଣ୍ଡାଙ୍ଗି(୨୪), ପାତିକା ମୋଜେଶ(୩୦), ପାତିକା ଯୋଗେନ୍ଦ୍ର(୨୦), ନିମାଲା କୁମାରୁ(୨୧), ବିଡିକା ବଡ଼ମା (୨୦), ରବି ବିଡିକା(୨୫), ବିଡିକା କୈଳାସ (୨୨), ରାମଦାସ ବିଡିକା (୨୦),ମଣ୍ଡାଙ୍ଗି କେଶବ(୩୫) । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସରଞ୍ଜାମ ସହ ଠେଙ୍ଗାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି । ୧୫ ଦିନ ମଧ୍ୟରେ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଥିବାରୁ ଅଞ୍ଚଳଵାସୀ ପୋଲିସକୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ , ମୃତକଙ୍କ ଝିଅ ସାଇଲଜା ପାତିକା ଓ ତାଙ୍କ ସ୍ତ୍ରୀ ଗତ ଦୁଇ ତାରିଖ ସନ୍ଧ୍ୟାରୁ ପାତିକା ମାତିଆ ଘରକୁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ମିଶି ଖୋଜାଖୋଜି କରିଥିଲେ । ପରଦିନ ନୂଆ ଲବା ନିକଟ ରାସ୍ତା କଡ଼ରେ ଏକ ଖାଲରୁ ମାତିଆଙ୍କ ମୃତଦେହ ସହ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments