ଅନୁଗୁଳ, (୧୮/୦୯) : ଆପ୍ର : ବାଇକରେ ହାତୀ ଦାନ୍ତ ନେଉଥିଲେ, ମାଡ଼ି ବସିଲା ପୋଲିସ । ହାତୀ ଦାନ୍ତ ଜବତ ହୋଇଛି ।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସର ଗାଡ଼ି ଯାଞ୍ଚ ବେଳେ ଜବତ ହୋଇଛି ହାତୀ ଦାନ୍ତ । ଗୁରୁବାର ରାତିରେ ଦେବଗଡ଼ ଛକ ନିକଟରେ ଯାନବାହନ ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୩ କେଜି ଓଜନର ହାତୀ ଦାନ୍ତ ଜବତ କରିଛି ପୋଲିସ । ଏହି ଘଟଣାରେ ବାଗେଡ଼ିଆ ଅଞ୍ଚଳର ସୁକାନ୍ତ ପ୍ରଧାନ ଓରଫ ରଞ୍ଜନଙ୍କୁ ଅଟକ ରଖାଯାଇଛି । ସେ ଏକ ମୋଟରସାଇକେଲରେ ବନ୍ୟଜନ୍ତୁ ସାମଗ୍ରୀ ନେଇ ଯାଉଥିବା ବେଳେ ଯାଞ୍ଚ ସମୟରେ ଧରାପଡ଼ିଥିଲେ । ହାତୀ ଦାନ୍ତ ରଖିବା କିମ୍ବା ପରିବହନ ପାଇଁ କୌଣସି ବୈଧ ଅନୁମତି ଦେଖାଇ ପାରିନଥିବାରୁ ହାତୀ ଦାନ୍ତ ସହ ମୋଟରସାଇକେଲକୁ ଜବତ କରାଯାଇଛି । ପରବର୍ତ୍ତୀ ଆଇନଗତ ପଦକ୍ଷେପ ପାଇଁ ମାମଲାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

