ସୁବର୍ଣ୍ଣପୁର, (୨୨/୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରୀଘାଟରୁ ୨ ଜଣ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି ।
ସୁବଳୟା ପୁଲିସର ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ମହାନଦୀର ଉପରମୁଣ୍ଡରୁ ଦୁଇଟି ଶବ ଭାସି ଆସୁଥିବା ବୀରମହାରାଜପୁର ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା । ସୁବଳୟା ମହାନଦୀ ଫେରିଘାଟ ଠାରେ ଭାସି ଆସୁଥିବା ଶବ ଦୁଇଟିକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । ଅଗ୍ନିଶମ ବାହିନୀର ନଦୀକୂଳରେ ଥିବା ମସ୍ୟଜୀବୀଙ୍କ ଡ଼ଙ୍ଗା ସାହାଯ୍ୟରେ ଦୁଇଟି ଯାକ ଭାସମାନ ମୃତ ଦେହକୁ ଉଦ୍ଧାର କରି କୂଳକୁ ଆଣିଥିଲେ ଏବଂ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସୁବଳୟା ଏସଆଇ ସଂଜୀବ ବସ୍ତିଆ ଏବଂ ଏଆସଆଇ ସୁରଞ୍ଚି ସେଠି ଏକ ଟିମ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ।
ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟ ମୃତ ଦେହକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ ରାଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସୁବଳୟା ପୁଲିସ ଉଭୟ ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡ଼ିଛି । ଘଟଣା ନେଇ ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା (୬/୨୬) ରୁଜୁ ହୋଇଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରିଥିବା ଜଣାପଡିଛି ।

