ସୁବର୍ଣ୍ଣପୁର, (୨୨/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କୁ ମିଳିଛି ବଡ ସଫଳତା । ୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ ।
ନଶା ମୁକ୍ତ ଓଡିଶା ସ୍ୱତନ୍ତ୍ର ଅଭିଯାନ କ୍ରମେ ଏସପି ନାରାୟଣ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ ସହ ପ୍ରାୟ ୫୪୦ କେଜି ଗଞ୍ଜେଇ ଜବତ ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨ ଗୋଟି ଦାମୀ କାର, ଗୋଟିଏ ବଇକ୍ ଜବତ ହୋଇଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ । ଗୋଇନ୍ଦା ସୂଚନା ଆଧାରରେ ବୌଦ୍ଧ ଜିଲାରୁ କାର ଯୋଗେ ସୁବଳୟା ରାସ୍ତା ଦେଇ ବିପୁଳ ପରିମାଣର ଗଞ୍ଜେଇ ସମ୍ବଲପୁର ପଟକୁ ଚୋରାଚାଲାଣ ହେଉଥିବା ଓ ଗଞ୍ଜେଇ ବ୍ୟବସାୟୀ କାରକୁ ପାଇଲଟ କରୁଥିବା ସୂଚନା ମିଳିଥିଲା ।
ସୂଚନା ଆଧାରରେ ଏସପି ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୀରମହାରାଜପୁର ଥାନା ପୋଲିସ କାର୍ (ନଂ. ଓଡି୧୭ଏଫ୍ ୭୭୧୭)କୁ ଅଟକ ରଖି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଯାଞ୍ଚ କରିବାରୁ ସେଥିରେ ୩ କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । କାର ରୁ ୨ ଗଞ୍ଜେଇ ଚୋରା ଚାଲାଣକାରୀ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳର ପିଣ୍ଟୁ ସାହୁ (୩୩) ଓ ଅଭିଜିତ ସିଂହ (୨୮)ଙ୍କୁ ଗିରଫ କରାଯାଇଛି ।
ସେହିପରି ସୁବଳୟା ଥାନା ପୋଲିସ ଟିମ୍ କାର (ନଂ. ଓଡି ୦୨ବିଏମ୍ ୫୪୪୯)କୁ ଅଟକ ରଖି ଯାଞ୍ଚ କରିବାରୁ ୨ କ୍ୱିଣ୍ଟାଲ ୩୭ କିଲୋ ଗଞ୍ଜେଇ ମିଳିଥିଲା ବେଳେ ଦୁର୍ବୃତ୍ତମାନେ ପୁଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । କିନ୍ତୁ ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଖୋଦ୍ ଏସପି ଶ୍ରୀ ନାୟକ ମଧ୍ୟ ଚଢ଼ାଉ ସମୟରେ ଉପସ୍ଥିତ ଥିବା ନଜର କୁ ଆସିଥିଲେ ।
ସେହିପରି ରାମପୁର ଥାନା ଅଞ୍ଚଳରେ ଏକ ବାଇକ୍ (ନଂ. ଓଡି ୨୭ଡି ୯୧୪୬)ରୁ ୩ କିଲୋ ୪୭୦ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତିଲପଙ୍ଗା ଅଞ୍ଚଳର ଶିବ ରଣା (୩୨) ଙ୍କୁ ଗିରଫ କରାଯାଇଛି । ସମୁଦାୟ ୫ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ, ୨ ଗୋଟି କାର ଓ ୧ ବାଇକ୍ ଜବତ ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

