ସୁବର୍ଣ୍ଣପୁର, (୦୧/୦୯) : ଆପ୍ର : ସୁବର୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନଫରେନ୍ସ ହଲଠାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ମାନନୀୟ ବୀରମହାରାଜପୁର ବିଧାୟକ, ଇଞ୍ଜିନିୟର ରଘୁନାଥ ଜଗଦଳା, ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୋମ୍ୟରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେରଙ୍କ ସମନ୍ୱୟରେ ବୈଠକ ପରିଚାଳିତ ହୋଇଥିଲା । ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ସମସ୍ତ ବିଭାଗ ପକ୍ଷରୁ ନିଜ ନିଜ ବିଭାଗର କାର୍ଯ୍ୟ ପ୍ରଗତି ସମ୍ପର୍କରେ ସୂଚନା ଉପସ୍ଥାପନ କରାଯାଇଥିଲା । ସାଂସଦ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଅସମ୍ପୂର୍ଣ୍ଣ ଓ ଆବଶ୍ୟକତା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପାଦନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଆର୍ ଆଣ୍ଡ୍ ବି ବିଭାଗର ସମୀକ୍ଷା ସମୟରେ ସମ୍ପୂର୍ଣ୍ଣ ହୋଇଥିବା କୋଠାଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରିବା, କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ଆବଶ୍ୟକ ମରାମତି କରିବା ସହ ଶଙ୍କରା ସିଏଚ୍ସିକୁ ସୁଗମ ଯାତାୟାତ ନିମନ୍ତେ ଆପ୍ରୋଚ୍ ରୋଡ୍ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବେଳେ ଡାକ୍ତର ଅଭାବ ଦୂର କରିବା ସହ ହସ୍ପିଟାଲ ଗୁଡ଼ିକରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ସୁବିଧାରେ ଉନ୍ନତି ଆଣିବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଏସ୍ଏନ୍ଏଲ୍ର ଟାୱାର ସମସ୍ୟାକୁ ତୁରନ୍ତ ସଚଳ କରିବା ପାଇଁ ପଦକ୍ଷେପ ନେବା ସେହିପରି ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୌରପାଳିକା ଅଞ୍ଚଳର ଡ୍ରେନ ଗୁଡ଼ିକ କୁ ସଫା କରି ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ କରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଜିଲ୍ଲାରେ ଦୁଇଟି ନୂତନ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ନିର୍ମାଣ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।
ବୀରମହାରାଜପୁର ବିଧାୟକ ଉତ୍କଳ ବାଳାଶ୍ରମର ଖାଦ୍ୟ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଏହି ଘଟଣାର ପ୍ରକୃତ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ କରି ଆବଶ୍ୟକ ମରାମତି କରାଇବାକୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସଠିକ୍ ସର୍ଭେ କରି ଯୋଗ୍ୟ କୌଣସି ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଜିଲ୍ଲାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଆବାସ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ସମୟୋପଯୋଗୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

