Homelocalସୁବର୍ଣ୍ଣପୁର ଜିଲ୍ଲା ରେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ଧାନ କିଣା ଆରମ୍ଭ ,...

ସୁବର୍ଣ୍ଣପୁର ଜିଲ୍ଲା ରେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ଧାନ କିଣା ଆରମ୍ଭ , ୭୮ଟି ମଣ୍ଡିରେ ଧାନ କିଣା ହେବ : ଏହି ଜିଲ୍ଲାରେ ୮୦ ହଜାର ୧୩୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି 

ସୁବର୍ଣ୍ଣପୁର, (୧୭/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୧ ତାରିଖ ରୁ ୨୦୨୬ -୨୭ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ।

୭୫ ପ୍ୟାକ୍ସ ଜରିଆରେ ଯୋଗାଣ ନିଗମ ପଞ୍ଜିକୃତ ଚାଷୀ ଙ୍କ ନିକଟରୁ ଧାନ କିଣିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ରବିବାର ଦିନ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ରେ ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ର ଅଧ୍ୟକ୍ଷ ଦେବାଶିଷ ସିଂହ ଅଧ୍ୟକ୍ଷତା କରିଥିଲେ । ଚାଷୀଙ୍କୁ ସାଧାରଣ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ ପ୍ରତି ପୂର୍ବ ଭଳି ୩୧ ଶହ ଟଙ୍କା ପ୍ରଦାନ କରାଯିବ । ଏମଏସପି ୨୪୪୧ ଟଙ୍କା ଓ ରାଜ୍ୟ ସରକାରଙ୍କ ସହାୟତା ରାଶି କ୍ୱିଣ୍ଟାଲ ପ୍ରତି ୬୫୯ ଟଙ୍କା ପ୍ରଦାନ କରାଯିବ । ସ୍ବଛତା ପାଇଁ ଧାନ ମଣ୍ଡିରୁ ମିଲ ପର୍ଯ୍ୟନ୍ତ ଧାନ ପରିବହନ କରୁଥିବା ଗାଡ଼ିରେ ଭିଏଲଟିଡି (ଭେକିଲ୍ ଲୋକେସନ ଟ୍ରାକିଙ୍ଗ ଡିଭାଇସ୍) ବାଧ୍ୟତା ମୂଳକ କରାଯାଇଛି । ଧାନ ସଂଗ୍ରହ ପାଇଁ ଜିଲ୍ଲା ର ଡୁଙ୍ଗୁରିପାଲି ଓ ବୀରମହାରାଜପୁର ଆରଏମସି ଅଧୀନରେ ୩ଟି ସମ୍ପ୍ରସାରଣ ଧାନ କ୍ରୟ କେନ୍ଦ୍ର ସମେତ ଚଳିତ ଥର ମୋଟ ୭୮ ଟି ମଣ୍ଡି ଖୋଲିବ ।

ଆବଶ୍ୟକ ସ୍ଥଳେ ସମ୍ପ୍ରସାରଣ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଜିଲ୍ଲା ର ୫୮ ଟି ମିଲ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ। ମଣ୍ଡି ଗୁଡ଼ିକ ସପ୍ତାହକ ୬ ଦିନ ଖୋଲା ରହିବ । ବିକ୍ରି ଧାନର ପ୍ରାପ୍ୟ ପି – ପାସ (ପେଡ଼ି ପ୍ରକୁର୍ମେଣ୍ଟ ଅଟୋମେଶନ ସିଷ୍ଟମ ) ମାଧ୍ୟମରେ ପିଏଫଏମଏସ ଜରିଆରେ ଧାନ ବିକ୍ରି ର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆଧାର ସଂଯୋଗ ଥିବା ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ବୋଲି ସୂଚନା ଦିଆଯାଇଛି। ଧାନ ଚୋରା ଚାଲାଣ ରୋକିବାକୁ ପ୍ରଶାସନ ନଜର ରଖିବା ସହ ଅସାଧୁ ଧାନ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ମଣ୍ଡିରେ ଦୁର୍ନୀତି ଓ ଅବ୍ୟବସ୍ଥା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ବୈଠକରେ ସ୍ୱଷ୍ଟ କରିଥିଲେ । ସକାଳ ୮ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ ହେବ । ଅପରାହ୍ନ ରୁ ମିଲର୍ସ ନିଜ ମିଲ କୁ ଧାନ ପରିବହନ କରିବେ ।

ଜିଲ୍ଲା ର ମିଲର୍ସ ମାନେ ୨୦୨୫ – ୨୬ ଖରିଫ ରେ ୩୭ ଲକ୍ଷ ୯୦ ହଜାର ୪୪୯ କ୍ୱିଣ୍ଟାଲ ଧାନ ଓ ରବିରେ ୨୮ ଲକ୍ଷ ୫୫ ହଜାର ୪୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଥିଲେ । ତେବେ ୨୫ ତାରିଖ ସୁଦ୍ଧା ଜିଲ୍ଲା ର ମିଲର୍ସ ଙ୍କ ଠାରୁ ୧୬ ଲକ୍ଷ ୪୨ ହଜାର ୬୨୪ କ୍ୱିଣ୍ଟାଲ କଷ୍ଟମ ମିଲିଙ୍ଗ ଚାଉଳ (୬୩.୭୩ ପ୍ରତିଶତ)ସରକାରଙ୍କୁ ଦେଇଛନ୍ତି । ରବି ରେ ଆଦୌ ଚାଉଳ ସଂଗ୍ରହ ଆରମ୍ଭ ହୋଇ ନାହିଁ । ଏହି ଭଳି ଦୁଇ ଋତୁ ମିଶି ଜିଲ୍ଲା ରେ ମାତ୍ର ୩୯. ୨୮ ପ୍ରତିଶତ କଷ୍ଟମ ମିଲିଙ୍ଗ ଚାଉଳ ସରକାର ନେଇଛନ୍ତି ।

ଆଉ ୨୫ ଲକ୍ଷ ୩୯ ହଜାର ୩୦୫ କ୍ୱିଣ୍ଟାଲ ଚାଉଳ ମିଲର୍ସ ଦେବାକୁ ବାକି ଥିବା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଫସିଆଇ ରେ ଚାଉଳ ସଂଗ୍ରହ ଧିମା ଯୋଗୁଁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆରଆରସି ଗୁଡିକରେ ମଧ୍ୟ ଚାଉଳ ସଂଗ୍ରହ ପ୍ରାୟତ ବନ୍ଦ ରହିଛି । ଏହି ଭଳି ସ୍ଥିତିରେ ଜିଲ୍ଲା ରେ ଖରିଫ ଧାନ ସଂଗ୍ରହ ଶୋଭାବିକ କରିବାକୁ ହେଲେ ଚାଉଳ ତ୍ୱରାନ୍ୱିତ କରିବାକୁ ମିଲର୍ସ ପ୍ରତିନିଧି ମାନେ ଅନୁରୋଧ କରିଥିଲେ। ଧାନ କ୍ୱିଣ୍ଟାଲ ୩୧ ଶହ ଟଙ୍କା ହେବା ପରେ ଜିଲ୍ଲା ରେ ଧାନ ଚାଷ ବୃଦ୍ଧି ପାଇଛି । ଚଳିତ ଥର ୮୦ ହଜାର ୧୩୦ ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଛନ୍ତି ।

ପ୍ରତେକ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ବିଜୁଳି , ତାରପୋଲିନ , ଚାଷୀଙ୍କ ପାଇଁ ଆଶ୍ରୟ ସ୍ଥଳୀ ଓ ଶୌଚାଳୟ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆ ଯାଇଛି। ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂହଦେଓ ଜିଲ୍ଲା ରେ ଧାନ କିଣିବାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଚାଷୀଙ୍କ ଧାନ ଯେଭଳି ମଣ୍ଡିରୁ ଠିକ ସମୟରେ ଉଠିବ। ଚାଷୀ ଯେପରି ଅଭାବୀ ବିକ୍ରି ର ସମ୍ଭୁଖିନ ନ ହୁଅନ୍ତି। ସେଥିପ୍ରତି ସର୍ତକ ଦୃଷ୍ଟି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମିଲର୍ସ ମାନେ ଧାନ କିଣାରେ ସମ୍ପୂର୍ଣ୍ଣ ସହୋଯୋଗ କରିବେବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନାଥ ଜଗଦଳା ଯୋଗ ଦେଇ ଧାନ କ୍ରୟରେ ସ୍ବଛତା ଆଣିବା ପାଇଁ ଅଧିକାରୀଙ୍କ ଦ୍ୱାରା କ୍ରୟ କେନ୍ଦ୍ର ଗୁଡିକରେ ନିୟମିତ ଯାଞ୍ଚ ଓ ତଦାରଖ କରିବାକୁ ବ୍ଲକ ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ ଟିମ୍ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ବିନା କଟିନି ଛଟିନି ରେ ଧାନ ସଂଗ୍ରହ , ଧାନ ମଣ୍ଡିରେ ଗ୍ରେନ୍ ଅନାଲାଇଜର , କୁଆଲିଟି ଅନାଲିଷ୍ଟ , ମଣ୍ଡି ନୋଡାଲ ଅଫିସର, ମଣ୍ଡି ସୁପର୍ ଭାଇଜର୍ ଆଦି ନିୟୋଜନ , ସ୍ବଛତା ସହିତ ସମିତି ସ୍ତରୀୟ ଧାନ ସଂଗ୍ରହ କମିଟି ଗଠନ ଓ ମଣ୍ଡି ରେ ସିସି ଟିଭି ଲଗାଇବା ସୁନିଶ୍ଚିତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଧାନ କ୍ରୟ କାର୍ଯ୍ୟରେ ଯୋଗାଣ ବିଭାଗ, ସମବାୟ ବିଭାଗ ଏବଂ ନିୟନ୍ତ୍ରିତ ବଜାର କମିଟି ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ସ୍ଥାନୀୟ ଲୋକସଭା ସାଂସଦଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସୋନପୁର ଉପ ଜିଲ୍ଲାପାଳ ଡ଼ ସୌମ୍ୟା ରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ଯୋଗାଣ ଅଧିକାରୀ କେଦାରନାଥ ନାୟକ, ଡିଆରସିଏସ ରାଧାକୃଷ୍ଣ ମେହେର, ଏଆରସିଏସ ଭବାନୀ ଶଙ୍କର ଦାଶ, ବୀରମହାରାଜପୁର ଏଆରସିଏସ ନାରାୟଣ ସେଠୀ, ଡୁଙ୍ଗୁରିପାଲି ଆରଏମସି ସମ୍ପାଦକ ଅବକାଶ ବେହେରା, ବୀରମହାରାଜପୁର ଆରଏମସି ସମ୍ପାଦକ ମନୋଜ କୁମାର ଜେନା , ଚାଷୀ ପ୍ରତିନିଧି ଅଶୋକ କୁମାର ପୃଷ୍ଟି, ରାଜ କିଶୋର ମେଣ୍ଡଲି, ମିତ୍ରବ୍ରତ ମିଶ୍ର, ଶିବରାଜ ବେହେରା ଓ ମିଲର୍ସ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments