ସୁବର୍ଣ୍ଣପୁର, (୧୪/୧୧) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନଫରେନ୍ସ ହଲ୍ଠାରେ ମାନନୀୟ ବଲାଙ୍ଗୀର ସାଂସଦ ମତୀ ସଙ୍ଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ମାନନୀୟ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଳା, ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା ବନଖଣ୍ଡ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିଙ୍ଗ୍ ରୋଡ୍ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଆର୍ ଆଣ୍ଡ୍ ବି ବିଭାଗକୁ କୁହାଯାଇଥିଲା। ଏହାର ଉତ୍ତରରେ ମାତ୍ର ୫୦୦ ମିଟର କାର୍ଯ୍ୟ ବାକି ଥିବାବେଳେ ଅନ୍ୟ ପାର୍ଶ୍ୱରେ ଜମି ଅଧିଗ୍ରହଣ ଓ କିଛି ବୈଷୟିକ ସମସ୍ୟା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ମୋହନ ସାଗର ପ୍ରକଳ୍ପର ଡିପିଆର୍ ଅନୁମୋଦନ ନିମନ୍ତେ ଦାଖଲ କରାଯାଇଥିବା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜଣାଯାଇଥିଲା । ମୋବାଇଲ୍ ଟାୱାର ସ୍ଥାପନ ସମ୍ପର୍କିତ ପ୍ରସଙ୍ଗ ଜିଲ୍ଲା ପ୍ରଶାସନ ସ୍ତରରେ ରହିଥିବା ଏବଂ ଏହାର ଶୀଘ୍ର ସମାଧାନ କରାଯିବ ବୋଲି କୁହାଯାଇଥିଲା ।
ବାହାରେ ବୁଲୁଥିବା ଗୋରୁମାନଙ୍କୁ ଗୋଶାଳାରେ ରଖିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀଙ୍କୁ କୁହାଯାଇଥିଲା । ଏ ସମ୍ପର୍କରେ ସେ ଜଣାଇଥିଲେ ଯେ, ସହରାଞ୍ଚଳରେ ଏଥିପାଇଁ ଆବଶ୍ୟକ ଜମି ନଥିବାରୁ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ଗ୍ରାମାଞ୍ଚଳରେ ନିଜସ୍ୱ ଜମିରେ ଗୋଶାଳା ନିର୍ମାଣ ନିମନ୍ତେ ଆବେଦନ କରିବାକୁ ପଡ଼ିବ । ସହରାଞ୍ଚଳରେ ଏହି କାର୍ଯ୍ୟ କରିବାକୁ ଇଚ୍ଛୁକ ସଂସ୍ଥାଗୁଡ଼ିକୁ ଅନୁମତି ପ୍ରଦାନ କରିବାରେ ମଧ୍ୟ ସମସ୍ୟା ରହିଥିବା ସେ ସୂଚନା ଦେଇଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ୨୭୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ଓ ଅସୁରକ୍ଷିତ ଅବସ୍ଥାରେ ଥିବା ସୂଚନା ଦେଇଥିଲେ । ଏହା ଏକ ପୁରୁଣା ତାଲିକା ହୋଇଥିବାରୁ ବିଧାୟକ ଶ୍ରୀ ଜଗଦଳା ନୂତନ ତାଲିକା ଶୀଘ୍ର ଦାଖଲ କରିବା ସହ ପୂର୍ବ ତାଲିକାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉତ୍କଳ ବାଳାଶ୍ରମରେ ନିୟମିତ ଯାଞ୍ଚ ସହ ଅଚାନକ ପରିଦର୍ଶନ କରିବାକୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ କୁହାଯାଇଥିଲା ।
ପ୍ୟାକ୍ସଗୁଡ଼ିକରେ ସେଡ୍ ନିର୍ମାଣ ନିମନ୍ତେ ଡିଆରସିଏସ୍ଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ସହ ଆସନ୍ତା ରବିବାର ସୁଦ୍ଧା ବକେୟା ଅର୍ଥ ଓ ନିର୍ମାଣ ଆବଶ୍ୟକ ଥିବା ସ୍ଥାନଗୁଡ଼ିକର ତାଲିକା ଦାଖଲ କରିବାକୁ କୁହାଯାଇଥିଲା । ବୀରମହାରାଜପୁର ଉପଖଣ୍ଡ ଆହାର କେନ୍ଦ୍ରର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସାଂସଦ ଓ ବିଧାୟକ ସନ୍ତୋଷଜନକ କାର୍ଯ୍ୟ କରିନଥିବା ଠିକାଦାରମାନଙ୍କୁ କ୍ଲିୟରାନ୍ସ ପ୍ରଦାନ ଓ ବିଲ୍ ପୈଠ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇଟିଆଇ ଶିକ୍ଷକମାନେ ବିଳମ୍ବରେ ଆସୁଥିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା । ସାଂସଦ ଓ ବିଧାୟକ ଫୋନ୍ କଲେ ଅଧିକାରୀମାନେ ଫେରି କଲ୍ କରିବା ସହ ଗୋଟିଏ କାର୍ଯ୍ୟାଳୟରୁ ଏକାଧିକ ଅଧିକାରୀଙ୍କୁ ଏକ ସମୟରେ ଛୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

