Homelocalଆଜିଠୁ କମ୍ପିବ ବିଧାନସଭା, ମୁହାଁମୁହିଁ ହେବେ ବିରୋଧୀ-ଶାସକ

ଆଜିଠୁ କମ୍ପିବ ବିଧାନସଭା, ମୁହାଁମୁହିଁ ହେବେ ବିରୋଧୀ-ଶାସକ

ଭୁବନେଶ୍ୱର, (୧୮/୧୧) : ଆପ୍ର : ଆଜିଠୁ କମ୍ପିବ ବିଧାନସଭା । ମୁହାଁମୁହିଁ ହେବେ ବିରୋଧୀ-ଶାସକ। ଶୀତ ଅଧିବେଶନରେ ପ୍ରମୁଖ ପ୍ରସଙ୍ଗ ହେବ ଗଞ୍ଜାମ ବନ୍ୟା ଓ ବିପର୍ଯ୍ୟୟ ପରିଚଳନା ।

ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ । ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଛନ୍ତି। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ବିଳମ୍ବ ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ଅଭିଯୋଗ ଉଠିଛି । କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ଫସଲ କ୍ଷତିପୂରଣ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିପାରେ ।

ସେହିପରି କୋରାପୁଟ ଜିଲ୍ଲାର କୋଟିଆ ସୀମା ବିବାଦକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ । ସେଠାରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଗୃହରେ ତୀବ୍ର ଆଲୋଚନା ହୋଇପାରେ। ଚାଷୀ ସମସ୍ୟା ମଧ୍ୟ ବିରୋଧୀଙ୍କ ଅନ୍ୟତମ ପ୍ରମୁଖ ଅସ୍ତ୍ର ହେବ। ବନ୍ୟା ଓ ବାତ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ, ଧାନମଣ୍ଡି ଅବ୍ୟବସ୍ଥା ଏବଂ ଧାନ କିଣାରେ ସମସ୍ୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ ଦଳ । କାଲି ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ ହୋଇଛି ।

ଏହାସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା ଓ ବାଲେଶ୍ୱରର ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମଧ୍ୟ ଶାସକ ଦଳକୁ ଘେରିବାକୁ ଯୋଜନା କରିଛି ଦଳ । MMDR ସଂଶୋଧନ ବିଲ୍ ମଧ୍ୟ ଏଥର ଅଧିବେଶନରେ ବଡ଼ ପ୍ରସଙ୍ଗ ହୋଇପାରେ । ଏହି ବିଲ୍ ଯୋଗୁଁ ଓଡ଼ିଶାର ଖଣିଜ ରାଜସ୍ୱ କ୍ଷତିଗ୍ରସ୍ତ ହେବ ବୋଲି ବିଜେଡି ଅଭିଯୋଗ କରିଆସୁଛି । ଏହାବ୍ୟତୀତ ମହାନଦୀ ଜଳ ବିବାଦ, ପାଠ୍ୟପୁସ୍ତକରେ ତ୍ରୁଟି, ଦରଦାମ ବୃଦ୍ଧି ଓ ନିର୍ବାଚନମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିପାରେ। କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ରଣନୀତି ଚୂଡାନ୍ତ କରିଛି ।

ସେପଟେ ବିଜେପି ବିଧାୟକ ଦଳ ବୈଠକ ବସି ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀଙ୍କ ପକ୍ଷରୁ ଯେଉଁ ପ୍ରସଙ୍ଗ ଆସିବ ତାହା ଆଲୋଚନା କରିବା ପାଇଁ ସରକାରୀ ଦଳ ତୟାର। ଚଳିତ ଅଧିବେଶନରେ ୫ ଟି ବିଲ ଆସିବ। ବିରୋଧୀ ଯେଉଁ ପ୍ରସଙ୍ଗରେ ମୋସନ ଦେଇଛନ୍ତି ବାଚସ୍ପତି ନିଷ୍ପତି ନେବେ । କିନ୍ତୁ ସରକାରୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଡିସେମ୍ୱର ୩୧ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ପ୍ରଥମ ଦିନରେ ବିଧାନସଭାରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ନଭେମ୍ୱର ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ସମୁଦାୟ ୩୩ଟି କାର୍ଯ୍ୟଦିବସ ଏହି ଅଧିବେଶନରେ ରହିଛି । ଶୀତ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକରେ ବାଚସ୍ପତି ସବୁ ସହଯୋଗ ଲୋଡିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments