Homelocalଗତ ଖରିଫ ର ୫୮ ପ୍ରତିଶତ ଚାଉଳ ଉଠିଥିବା ବେଳେ ଗତ ରବି ର ଶତ...

ଗତ ଖରିଫ ର ୫୮ ପ୍ରତିଶତ ଚାଉଳ ଉଠିଥିବା ବେଳେ ଗତ ରବି ର ଶତ ପ୍ରତିଶତ ଚାଉଳ ଉଠି ନାହିଁ : ଚଳିତ ଖରିଫ ର ଧାନ ବିକ୍ରି ପାଇଁ ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୦୪/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଆଉ କିଛି ଦିନ ପରେ ଖରିଫ ଧାନ ଅମଳ ଆରମ୍ଭ ହେବ । ଆସନ୍ତା ଡିସେମ୍ବର ମାସ ର ଦ୍ୱିତୀୟ ସପ୍ତାହ ବେଳକୁ ଧାନ କିଣା ବିକା ଆରମ୍ଭ ହୋଇଯିବ ।

ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆଗକୁ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ଜଟିଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶାରେ ବରଗଡ଼ , ସୁବର୍ଣପୁର , କଳାହାଣ୍ଡି ଜିଲ୍ଲା ଅଧିକ ଧାନ ଉତ୍ପାଦନ କରୁଥିବା ବେଳେ ସରକାର ସେହି ଅନୂଯାୟୀ କଷ୍ଟମ ମିଲ୍ ଚାଉଳ ସଂଗ୍ରହ କରୁନାହାନ୍ତି। ସୁବର୍ଣପୁର ଜିଲ୍ଲାରେ ରହିଥିବା ରାଇସ ମିଲ ଗୁଡିକରୁ ୨୦୨୫ – ୨୦୨୬ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସଂଗୃହୀତ ଧାନର ପର୍ଯ୍ୟାପ୍ତ ପରିମାଣର ଚାଉଳ କୁ ଏପର୍ଯ୍ୟନ୍ତ ଉଠାଯାଇ ପାରିନାହିଁ । ଏହା ସହିତ ଗତ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ସମସ୍ତ ଚାଉଳ ମଧ୍ୟ ମିଲର୍ସ ଙ୍କ ଗୋଦାମରେ ପଡ଼ି ରହିଛି । ଗୋଟିଏ ପଟେ ଏହି ଜିଲ୍ଲାରେ ଅଧିକ ଧାନ ଉତ୍ପାଦନ ହେଉଥିବା ବେଳେ ଅନ୍ୟ ପଟେ ମିଲର୍ସ ଙ୍କ ଗୋଦାମରେ ଏବେ ସୁଦ୍ଧା ବହୁ ପରିମାଣରେ ଧାନ ଓ ଚାଉଳ ଗଚ୍ଛିତ ହୋଇ ରହିଛି ।

ସରକାର ଚାଷୀଙ୍କ ନିକଟରୁ କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ରେ କିଣିବା ପରେ ଜିଲ୍ଲାରେ ଧାନ ଉତ୍ପାଦନ ୨୦ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର ସେହି ଅନୂଯାୟୀ ଜିଲ୍ଲା ରୁ ଚାଉଳ ସଂଗ୍ରହ ବହୁ ମାତ୍ରାରେ ହ୍ରାସ ପାଇଛି। ନିକଟରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏକ ସଭାରେ ଏଫସିଆଇ ରାଜ୍ୟରୁ ଆବଶ୍ୟକତା ଅନୁଯାୟୀ ଚାଉଳ ସଂଗ୍ରହ କରୁ ନ ଥିବା କହିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟରୁ ଚାଉଳ ସଂଗ୍ରହ ତ୍ୱରାନ୍ୱିତ ହେଉ ନ ଥିବା ପ୍ରକାଶ କରିଥିଲେ ।

ତେଣୁ ଆଗାମୀ ଦିନରେ ରାଇସ ମିଲ ଗୁଡିକରେ ଥିବା ଗଚ୍ଛିତ ଚାଉଳ କୁ ତୁରନ୍ତ ଉଠା ନ ଗଲେ ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଅସମ୍ଭାଳ ହୋଇ ପଡ଼ିବାର ସମ୍ଭାବନା ରହିଛି । ଏହି ଜିଲ୍ଲାରେ ବିଗତ ୩ ବର୍ଷ ର ଧାନ ସଂଗ୍ରହ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଦିନକୁ ଦିନ ଜିଲ୍ଲାର ମିଲର୍ସ ଙ୍କ ପାଖରେ ସରକାରଙ୍କ କଷ୍ଟମ ମିଲ ଚାଉଳ ଅଧିକ ପରିମାଣ ରେ ପଡି ରହୁଛି । ଚାହିଦା ନ ଥିବା ଆଳରେ ଚାଉଳ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟ କୁ ଯାଉନାହିଁ । ଶତ ପରିଶତ ଚାଉଳ ଉଠା ଯାଇ ପାରୁ ନ ଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି ।

ଏହି ଜିଲ୍ଲାରେ ଖରିଫ ଧାନ କିଣା ପକ୍ରିୟାକୁ ଆଉ ପ୍ରାୟ ଗୋଟିଏ ମାସ ବାକି ରହିଛି। କିନ୍ତୁ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ଗତ ଖରିଫ ର ମାତ୍ର ୫୮ ପ୍ରତିଶତ କଷ୍ଟମ ମିଲଡ୍ ରାଇସ (ସିଏମଆର) ସଂଗୃହୀତ ହୋଇ ପାରିଛି । ଗତ ଖରିଫ ରେ ଜିଲ୍ଲା ର ଚାଷୀଙ୍କ ନିକଟରୁ ସଂଗ୍ରହ ହୋଇଥିବା ମୋଟ ୩୭ ଲକ୍ଷ ୯୦ ହଜାର ୪୪୯ କୁଇଣ୍ଟାଳ ଧାନରୁ ୪୨ ପ୍ରତିଶତ ଚାଉଳ ସଂଗ୍ରହ ବାକି ଅଛି । ଧାନ ମିଲର୍ସ ଙ୍କ ଗୋଦାମରେ ଏକ ବର୍ଷ ଧରି ଗଚ୍ଛିତ ରହି ନଷ୍ଟ ହୋଇ ଯିବାର ଆଶଙ୍କା ରହିଛି । ଏଫସିଆଇ ଓ ଆରଆରସି ଠିକ୍ ସମୟରେ ଚାଉଳ ନେବାରେ ବିଫଳ ହୋଇଛି । ଗତ ରବି ଋତୁରେ ଚାଷୀଙ୍କ ଠାରୁ ସଂଗୃହୀତ ହୋଇଥିବା ୨୩ ଲକ୍ଷ ୬୧ ହଜାର ୪୧୫ କୁଇଣ୍ଟାଳ ଧାନ (ଶତ ପ୍ରତିଶତ) ଆଦୌ ମିଲିଂ ହୋଇ ନାହିଁ । ଧାନ ମିଳିଂ ଚାଉଳ ମିଲର୍ସ ଙ୍କ ଗୋଦାମରେ ଭର୍ତ୍ତି ହୋଇ ରହିଛି ।

ଏଭଲି ସ୍ଥିତିରେ ଆସନ୍ତା ତଥା ଚଳିତ ଖରିଫ ଋତୁରେ ସଂଗ୍ରହ ହେବାକୁ ଧାନ ମିଲର୍ସ କେଉଁଠି ରଖିବେ ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । ଏହି ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ୮୦ ହଜାର ୧୬୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ମିଲ ଗୁଡିକ ରୁ ଚାଉଳ ଉଠା ନ ଗଲେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଜିଲ୍ଲା ଧାନ ଉତ୍ପାଦନରେ ବଳକା ଜିଲ୍ଲା ତେଣୁ ଏହି ଜିଲ୍ଲା ରୁ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟ କୁ ବଳକା ଚାଉଳ ରପ୍ତାନି ହୁଏ ।

ତେବେ ସିଏମ ଆର ସଂଗ୍ରହ ରେ ଧିମା ରହିଛି । ନିୟମ ଅନୁଯାୟୀ ଜିଲ୍ଲା ର ୫୮ ରାଇସ ମିଲ ଗତ ଖରିଫ ରେ ୨୫ ଲକ୍ଷ ୭୭ ହଜାର ୨୮୪ କୁଇଣ୍ଟାଳ ସି ଏମ୍ ଆର୍ ସରକାର ଙ୍କୁ ପ୍ରଦାନ କରିଥିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ ଲକ୍ଷ ୯୨ ହଜାର ୫୦୩ କୁଇଣ୍ଟାଳ ଚାଉଳ ସରକାରଙ୍କୁ ଦେଇଛନ୍ତି । ଆହୁରି ୧୦ ଲକ୍ଷ ୮୪ ହଜାର ୭୮୦ କୁଇଣ୍ଟାଳ ଚାଉଳ ଦେବାକୁ ବାକି ଅଛି। ମିଲ ଗୁଡିକ ନେଇଥିବା ଧାନର ସିଏମଆର୍ ଡୁଙ୍ଗୁରିପାଲି ଓ ସୋନପୁର ସ୍ଥିତ ଏଫସିଆଇ ଡିପୋ ରେ ଦିଅନ୍ତି । କିନ୍ତୁ ଟ୍ରେନ ରେ ବାହାର ରାଜ୍ୟକୁ ଅଧିକ ଚାଉଳ କୁ ଯାଉ ନାହିଁ । ରାଜ୍ୟ ସରକାରଙ୍କ ଚାଉଳ ସଂଗ୍ରହ କେନ୍ଦ୍ର ଗୁଡିକ ସ୍ୱଳ୍ପ ପରିମାଣର ଚାଉଳ ଗଚ୍ଛିତ ରଖୁଛନ୍ତି । ଯାହା ଉତ୍ପାଦନ ତୁଳନାରେ ସମୁଦ୍ର କୁ ଶଙ୍ଖେ ପରି । ରେଙ୍କ ମୋମେଣ୍ଟ କମ୍ ହେଉଥିବାରୁ ଏଫସିଆଇ ର ଚାଉଳ ସଂଗ୍ରହ ମନ୍ଥର ଗତିରେ ଚାଲିଛି ।

ଫଳରେ ମିଲର୍ସ ମାନେ ଠିକ ସମୟରେ ସରକାର ଙ୍କୁ କଷ୍ଟମ ମିଲିଁ ଚାଉଳ ଦେଇ ପାରି ନାହାନ୍ତି । ଏ ସମ୍ପର୍କରେ ଜିଲ୍ଲପାଳ ଦେବାଶିଷ ସିଂ କହନ୍ତି ଗତ ଖରିଫ ର ୪୨ ପ୍ରତିଶତ ଓ ରବି ର ଶତ ପ୍ରତିଶତ ଚାଉଳ ମିଲର୍ସ ଙ୍କ ଠାରୁ ଉଠାଇବା ବାକି ରହିଛି । ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ରୁ ଚାଉଳ ସଂଗ୍ରହ ତ୍ୱରାନ୍ୱିତ କରିବା ପାଇଁ ସରକାର ଙ୍କୁ ଅବଗତ କରା ଯାଇଛି । ଅପର ପକ୍ଷରେ ଧାନ ଉତ୍ପାଦନ କାରୀ ଜିଲ୍ଲା ଗୁଡ଼ିକର ବିଧାୟକ ମାନେ ରାଜ୍ୟ ସରକାରଙ୍କ ଠାରେ ଓ ସାଂସଦ ମାନେ କେନ୍ଦ୍ର ସରକାରଙ୍କ ଠାରେ ଏଫ ସି ଆଇ ଶୀଘ୍ର ଚାଉଳ ଉଠାଉ ବୋଲି ଚାପ ପକାଇବାକୁ ଚାଷୀ ମାନଙ୍କ ମହଲରେ ଦାବୀ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments