ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ବହୁ ଚର୍ଚ୍ଚିତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ସୁଦାମ ନାଗଙ୍କୁ ଗୁଳିକରି ମର୍ମନ୍ତୁଦ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାଙ୍କ ପତ୍ନୀ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।
ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଦୁଇଜଣ ପୁରୁଷ ବନ୍ଧୁଙ୍କ ସହାୟତା ନିଆଯାଇଥିଲା। ଏହି ମାମଲାରେ ଡୁଙ୍ଗୁରିପାଲି ପୋଲିସ ମୃତକଙ୍କ ପତ୍ନୀ କବିତା ନାଗ ଏବଂ ତାଙ୍କ ଦୁଇ ପୁରୁଷ ବନ୍ଧୁ ତ୍ରିଲୋଚନ ଓରଫ୍ ଟିଙ୍କୁ ବାଗ ଓ ଯୁବରାଜ ସାହୁ କୁ ଗିରଫ କରିଛନ୍ତି ଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ୨୦ ତାରିଖ ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟନ ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ. କେ ହରିପ୍ରସାଦ ଗୁଳିକାଣ୍ଡ ଜନିତ ହତ୍ୟାକାଣ୍ଡର ବିବରଣୀ ପ୍ରଦାନ କରିଥିଲେ। ଗତ ୧୭ ତାରିଖ ଦିନ ସାଲେପାଲି-ଆଇଁଲାସାରି ରାସ୍ତାର ପାଙ୍କେଲ ଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଥିଲା। ଏଥିରେ ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ୩୫ ବର୍ଷୀୟ ସୁଦାମ ନାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଯାଇଥିଲା ।
ପୋଲିସ ତଦନ୍ତରୁ ଜଣାପଡ଼ିଛି, କବିତା ନାଗଙ୍କ ସହିତ ତାଙ୍କ ବ୍ରାହ୍ମଣୀପାଲି ଗ୍ରାମର ଯୁବରାଜ ସାହୁ ଓ ପରେ ନିକଟସ୍ଥ କପାସିରା ଗ୍ରାମର ତ୍ରିଲୋଚନ ବାଗଙ୍କର ପ୍ରାୟ ଦୀର୍ଘ୍ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା । ଏହା ଜାଣିବା ପରେ ସୁଦାମ ନାଗ ତ୍ରିଲୋଚନଙ୍କୁ ଘରକୁ ଆସିବାକୁ ବାରଣ କରିଥିଲେ । ଏହାକୁ ନେଇ ତିନିଜଣ ମିଶି ସୁଦାମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଷଡ଼ଯନ୍ତ୍ର ପାଇଁ କବିତା ନାଗ ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନଙ୍କୁ ଦେଇଥିଲେ । ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ । ସେହି ଟଙ୍କାରେ ସେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୁଳି ପ୍ରାୟ ୬୦ ହଜାର ଟଙ୍କା ଦେଇ କିଣିଥିଲେ । ଏଥିପାଇଁ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ଅର୍ଥ ପୈଠ କରାଯାଇଥିଲା ।
ଗତ ୧୭ ତାରିଖ ଦିନ ସୁଦାମ ନାଗ ମୋଟର ସାଇକେଲ ମରାମତି ପାଇଁ ଡୁଙ୍ଗୁରିପାଲି ସ୍ଥିତ ଏକ ଗ୍ୟାରେଜକୁ ଯାଇଥିଲେ । କବିତା ଫୋନ୍ କରି ତାଙ୍କ ଅବସ୍ଥିତି ବିଷୟରେ ଯୁବରାଜ ସାହୁଙ୍କୁ ଜଣାଉଥିଲେ । କବିତା ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଯୁବରାଜଙ୍କୁ ସୂଚନା ଦେଉଥିବା ବେଳେ ସେ ତ୍ରିଲୋଚନଙ୍କୁ ସୂଚନା ଦେଉଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ପାଙ୍କେଲ ଛକ ନିକଟରେ ସୁଦାମଙ୍କୁ ଅଟକାଇ ପ୍ରଥମେ ୨ ରାଉଣ୍ଡ ଗୁଳି କରି ଥିଲେ ।
ତାହା ତାଙ୍କ ଜଙ୍ଘ ଓ ପିଠି ରେ ବାଜିଥିଲା । କିଛି ବାଟ ଯିବା ପରେ ସେ ତଳେ ପଡ଼ିଯିବାରୁ ପାଖକୁ ଯାଇ ଆଉ ୨ ରାଉଣ୍ଡ ଗୁଳି ଅତି ନିକଟରୁ ତାଙ୍କ ଛାତି ଓ ମୁଣ୍ଡକୁ ଚଳାଇଥିଲେ । ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ନିଜକୁ ବଞ୍ଚାଇବା ପାଇଁ ସୁଦାମାଙ୍କ ପତ୍ନୀ କବିତା ନାଗ ଥାନାରେ ଅଜଣା ବ୍ୟକ୍ତି ହତ୍ୟା କରିଥିବା ମିଥ୍ୟା ଅଭିଯୋଗ କରିଥିଲେ । ପୋଲିସ ଦେଶୀ ପିସ୍ତଲ, ୪ଟି ଖାଲି ଖୋକା, ୨ଟି ମୋଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛନ୍ତି । ତିନି ଅଭିଯୁକ୍ତ ପ୍ରେମିକ ପ୍ରେମିକାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

