Homelocalରାୟଗଡା ଜିଲ୍ଲାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଦୁଇଦିନିଆ ଗସ୍ତ

ରାୟଗଡା ଜିଲ୍ଲାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଦୁଇଦିନିଆ ଗସ୍ତ

ରାୟଗଡା, (୧୩/୧୧) : ଆପ୍ର : ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ, ବ୍ରହ୍ମପୁର ଶ୍ରୀ ବସନ୍ତ କୁମାର ପ୍ରଧାନ ଦୁଇଦିନିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକଳାପ, କାର୍ଯ୍ୟାଳୟ ପରିଚାଳନା ଓ ସୂଚନା କେନ୍ଦ୍ରର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି ।WhatsApp Image 2026 11 14 at 09.38.43 1

ଗସ୍ତର ପ୍ରଥମ ଦିନ, ତା.୧୨.୧୧.୨୦୨୬ରିଖରେ ଉପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଗୁଣପୁରସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଏହି ଅବସରରେ ପାଠାଗାରରେ ଉପଲବ୍ଧ ପୁସ୍ତକ, ଖବରକାଗଜ, ପତ୍ରପତ୍ରିକା ଏବଂ ପାଠକମାନଙ୍କ ସଦସ୍ୟତା ସମ୍ପର୍କିତ ରେକର୍ଡ ଯାଞ୍ଚ କରିଥିଲେ । ପାଠାଗାରର ସୁପରିଚାଳନା, ସାଜସଜ୍ଜା ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଯୁବପିଢ଼ିଙ୍କ ପ୍ରସ୍ତୁତି ପାଇଁ ରହିଥିବା ସୁବିଧା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ । ପାଠାଗାରକୁ ଅଧିକ ଜନଉପଯୋଗୀ ଓ ଯୁବବର୍ଗଙ୍କ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଇଣ୍ଟରନେଟ୍ ଓ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ସେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଗୁଣପୁରର ସାମ୍ବାଦିକମାନେ ଉପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ପାଠାଗାର ନିକଟରେ ଏକ ସଭାଗୃହ ନିର୍ମାଣ, ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ସମେତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ଶ୍ରୀ ପ୍ରଧାନ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲୀପଙ୍କ ସହ ସାକ୍ଷାତ କରି ସୂଚନା କେନ୍ଦ୍ର ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ନିମନ୍ତେ ଅନୁରୋଧ କରିଥିଲେ ।

ଗସ୍ତର ଦ୍ୱିତୀୟ ଦିନ, ତା.୧୩.୧୧.୨୦୨୬ରିଖରେ ଉପ ନିର୍ଦ୍ଦେଶକ ରାୟଗଡା ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଭାଗୀୟ ରେକର୍ଡ ଓ ଦସ୍ତାବିଜ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ବିଭାଗୀୟ ରେଜିଷ୍ଟର, ଷ୍ଟାମ୍ପ ହିସାବ, ଲଗ୍ ବୁକ୍, ପିଅନ ବୁକ୍, ଆର୍ଥିକ ହିସାବପତ୍ର, କର୍ମଚାରୀଙ୍କ କାର୍ଯ୍ୟସ୍ଥିତି, ଇନ୍‌କ୍ରିମେଣ୍ଟ ରେଜିଷ୍ଟର, ସର୍ଭିସ୍ ବୁକ୍, ପେନ୍‌ସନ୍ ମାମଲା, ବିଲ୍ ରେଜିଷ୍ଟର, ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା, କ୍ୟାଶ୍ ବୁକ୍ ଏବଂ ବିଭାଗର ଅଡିଓ-ଭିଜୁଆଲ୍ ଉପକରଣ ଆଦିର ଯାଞ୍ଚ କରିଥିଲେ । କାର୍ଯ୍ୟାଳୟର ଦୈନନ୍ଦିନ ପରିଚାଳନା, ରେକର୍ଡ ସଂରକ୍ଷଣ ଓ ପ୍ରଶାସନିକ କାର୍ଯ୍ୟର ସୁବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଯାଞ୍ଚ କାର୍ଯ୍ୟ ସମାପ୍ତ ପରେ ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜଳନ୍ଧର ପୁଷିକା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରାଙ୍କ ସମେତ ସଂସ୍କୃତି ବିଭାଗ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଦୁଇଦିନିଆ ଗସ୍ତ ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା, ରେକର୍ଡର ସୁବ୍ୟବସ୍ଥିତ ସଂରକ୍ଷଣ ଏବଂ ସୂଚନା କେନ୍ଦ୍ର ଓ ପାଠାଗାରର ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments