Homelocalରାୟଗଡା ରେ ବ୍ଲକସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ରେ ବ୍ଲକସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା, (୧୩/୧୧) : ଆପ୍ର : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ଏବଂ ରାୟଗଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାୟଗଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal – UPMP) ର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି ।WhatsApp Image 2026 11 14 at 09.40.23 1

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରରେ ଏହି ଜନକଲ୍ୟାଣକାରୀ ଡିଜିଟାଲ୍ ପୋର୍ଟାଲର ଶୁଭାରମ୍ଭ ଅବସରରେ ରାୟଗଡା ପଞ୍ଚାୟତ ସମିତି ପକ୍ଷରୁ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସହଜରେ ସେବା ଯୋଗାଇଦେବା ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସତ୍ୟ ମାଣ୍ଡାଙ୍ଗୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC), ରାୟଗଡ଼ର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଜିଲ୍ଲା ପରିଷଦ ରାୟଗଡା ର ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଜିଲ୍ଲା ପରିଷଦର ସଦସ୍ୟ ଓ ସଦସ୍ୟା, ରାୟଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏବଂ ଉପାଧ୍ୟକ୍ଷ ଶ୍ରୀ ହରପ୍ରସାଦ ହେପୃକା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ଏଲିଜାବେଥ୍ ଗୋରଡ଼ା ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ।WhatsApp Image 2026 11 14 at 09.40.24

ସମବେତ ହିତାଧିକାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ନୂତନ ଡିଜିଟାଲ୍ ପୋର୍ଟାଲ (upmp.odisha.gov.in) ମାଧ୍ୟମରେ ମଧୁବାବୁ ପେନସନ୍ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପରିଚାଳିତ ସମସ୍ତ ପେନସନ୍ ସେବାକୁ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି। ଏହାଦ୍ୱାରା ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବା, ଆଧାରଭିତ୍ତିକ e-KYC ଯାଞ୍ଚ କରିବା ଏବଂ ନିଜ ପେନସନ୍ ଆବେଦନର ସ୍ଥିତି ଜାଣିବାର ସୁବିଧା ପାଇପାରିବେ । ଏହି ବ୍ୟବସ୍ଥା ପେନସନ୍ ପରିଚାଳନା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହ ହିତାଧିକାରୀଙ୍କୁ ଉନ୍ନତ ଓ ତ୍ୱରିତ ସେବା ପ୍ରଦାନରେ ସହାୟକ ହେବ ।

ଏହି ଅବସରରେ ରାୟଗଡା ପଞ୍ଚାୟତ ସମିତି ଅଧୀନରେ ନୂତନ ଭାବେ ଚିହ୍ନଟ ହୋଇଥିବା ୧୭୮୭ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ଅତିଥିମାନଙ୍କ ଦ୍ୱାରା ପେନସନ୍ ମଞ୍ଜୁରୀ ଆଦେଶପତ୍ର (Sanction Order) ବଣ୍ଟନ କରାଯାଇଥିଲା । ଏହା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷାର ପରିସରଭୁକ୍ତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ।

ବିଭାଗୀୟ ଅଧିକାରୀମାନେ ନୂତନ ପୋର୍ଟାଲର ବ୍ୟବହାର ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ହିତାଧିକାରୀମାନଙ୍କୁ ଅବଗତ କରାଇବା ସହ ବ୍ଲକ୍ କାର୍ଯ୍ୟାଳୟ ଏବଂ ଜନସେବା କେନ୍ଦ୍ର (CSC) ମାଧ୍ୟମରେ ଆବଶ୍ୟକୀୟ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସମାପନ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments