ସୁବର୍ଣ୍ଣପୁର, (୦୩/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ । ସର୍ବମୋଟ ୫୨ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୪୧ ବ୍ୟକ୍ତିଗତ ଏବଂ ୧୦ଟି ସାମୂହିକ ଦରଖାସ୍ତ ଥିଲା ଏବଂ ୧ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ପାଇଁ ଆସିଥିଲା ।
ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପ ଜିଲ୍ଲାପାଳ ଡ.ସୌମ୍ୟରୂପା ରଥ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାସ, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର,ଅଭିଯୋଗ ଶାଖା ର ସହାୟକ ଜିଲ୍ଲାପାଳ ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ତାଙ୍କର ବ୍ଲକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

