ଗୁଣପୁର, (୩/୯) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମ ନିକଟ ଜଙ୍ଗଲରେ ପଡ଼ିରହିଛି ଏକ ଯୁବକଙ୍କ ରକ୍ତାକ୍ତ ମୃତଦେହ ।
ଜଙ୍ଗଲ ନିକଟରେ ଥିବା ଏକ ନାଳ ନିକଟରୁ ମୃତ ଦେହ ଠାବ କରାଯାଇଛି । ମୃତକ ଜଣକ ହେଲେ କାକିତରା ଗ୍ରାମର ମାଟିଆ ପାତିକା (୫୭) ବୋଲି ଜଣାପଡିଛି । ତେବେ କେମିତି ମୃତ୍ୟୁ ହେଲା ସେନେଇ କୌଣସି ତଥ୍ୟ ମିଳି ନଥିଲେ ମଧ୍ୟ ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରତିଦିନ ପରି ବୁଧବାର ଦିନ ସନ୍ଧ୍ୟାରେ ମାଟିଆ କାମରେ ବାହାରକୁ ଯାଇଥିଲେ , ୭.୩୦ ସୁଦ୍ଧା ଘରକୁ ଫେରିବା କଥା । କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ନଫେରିଵାରୁ ଘରଲୋକେ ଓ ଗ୍ରାମବାସୀ ମିଶି ଖୋଜାଖୋଜି କରିଥିଲେ ।
ଆଜି ସକାଳେ ନିକଟସ୍ଥ ଜଙ୍ଗଲ ପାଖରେ ମାଟିଆଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଓ ପାଖରେ ବାଇକ୍ ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ମାଟିଆର ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଆସିବାପରେ ତଦନ୍ତ ଆଗେଇବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ଏକ ହତ୍ୟାକାଣ୍ଡ ନା ଦୁର୍ଘଟଣା ପୋଲିସ୍ ତଦନ୍ତ ପରେ ହିଁ ଜଣାପଡ଼ିବ ।

