ରାୟଗଡା, (୩୧/୭) : ଆପ୍ର : ଗତ ଜୁନ୍ ୧୭ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ବନ୍ଦ ବ୍ୟାଗ୍ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା ।
ରାୟଗଡା ପୁଲିସ ଆନ୍ଧ୍ର ପ୍ରଦେଶ ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ କାଞ୍ଚରାପାଲମ ପୁଲିସ ଷ୍ଟେସନ ଅଧୀନରେ ଥିବା ଦୁର୍ଗା ନଗର ଅଂଚଳର ବୋଲିସେଟ୍ଟି ସୁରେଶ ୩୨ ବର୍ଷ । ସେ ଜଣେ ଅଟୋ ଡ୍ରାଇଭର । ବ୍ୟାଗରେ ମିଳିଥିବା ଯୁବତୀ ଜଣକ ସନ୍ଧ୍ୟା । ଘରୋଇ କାମରେ ସାହାଯ୍ୟ ପାଇଁ ଅଭିଯୁକ୍ତ ସୁରେଶ ମୃତକ ସନ୍ଧ୍ୟାକୁ ଘରକୁ ଆଣିଥିଲେ । କିନ୍ତୁ ପରବର୍ତୀ ସମୟରେ ସୁରେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ।ଯୁବତୀ ଜଣଙ୍କ ସୁରେଶକୁ ବାହା ହେବା ପାଇଁ ଚାପ ପକାଇଥିଲେ । କିନ୍ତୁ ସୁରେଶ କର୍ଣ୍ଣପାତ ନ କରିବାରୁ ଯୁବତୀ ଜଣଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ଝଗଡା କରିଥିଲେ । ସେତେବେଳେ ହିଁ ସୁରେଶ ସନ୍ଧ୍ୟା ଙ୍କୁ ପ୍ରବଳ ମାଡ ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବ୍ୟାଗ କିଣି ମୃତଦେହକୁ ଭର୍ତି କରି ଇଣ୍ଟରସିଟି ଟ୍ରେନ ଯୋଗେ ରାୟଗଡା ଆଣିଥିଲା ।
ରାୟଗଡା ଷ୍ଟେସନରୁ ଅଟୋ ଯୋଗେ ବ୍ୟାଗ କୁ ନେଇ ଖଲିଗୁଡା ନିକଟସ୍ଥ ପଡିଆରେ ଫିଙ୍ଗି ଦେଇଥିଲେ । ସୂଚନାରୁ ଜଣାପଡିଛି ମୃତଦେହ ଥିବା ବ୍ୟାଗ୍ଟି ଏକ ଅଟୋରିକ୍ସା ଯୋଗେ ଘଟଣାସ୍ଥଳକୁ ଆଣି ପକାଯାଇଥିବାର ପ୍ରମାଣ ମିଳିଥିଲା । ରାୟଗଡା ପୁଲିସ ଅଟୋ ଦ୍ୱାରା ଅଣାଯାଇ ବ୍ୟାଗ ଫିଙ୍ଗା ଯାଇଥିବା ସ୍ପଷ୍ଟ ହେବା ପରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସହରରେ ଚଳାଚଳ କରୁଥିବା ସମସ୍ତ ଅଟୋ ସହ ଚାଳକଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ । ଏହି ସୁରାକ ଆଧାରରେ ରାୟଗଡା ସହରର ବିଭିନ୍ନ ଅଟୋରିକ୍ସା ଚାଳକଙ୍କ ସହ ପୁଲିସ ପଚରାଉଚରା କରିବା ସମୟରେ ୨ଜଣ ଅଟୋ ଚାଳକ ଘଟଣାଦିନ ସନ୍ଦିଗ୍ଧକୁ ଅଟୋରେ ନେଇଥିବା ସୂଚନା ପାଇଥିଲେ ।
ଅଟୋ ଚାଳକଙ୍କ ସୂଚନା ଅନୁଯାୟୀ ସନ୍ଦିଗ୍ଧ ଜଣଙ୍କ ଏଟିଏମ ରୁ ପଇସା ଉଠାଇଥିବା ସୂଚନା ଦେଇଥିଲେ । ପୁଲିସ ଏଟିଏମରେ ଥିବା ସିସି ଟିଭି ଫୁଟେଜରୁ ସନ୍ଦିଗ୍ଧ ର ଫୋଟ ପାଇ ଆନ୍ଧ୍ର ପୁଲିସର ସହାୟତା ନେଇ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା । ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ସୁରେଶକୁ ରାୟଗଡା ଆଣିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୭ ତାରିଖ ସକାଳେ ଖଲିଗୁଡା ଗ୍ରାମ ନିକଟରେ ଥିବା ଏକ କାର୍ ଶୋ’ରୁମ୍ର ମ୍ୟାନେଜର ଶୋ’ରୁମ୍ ଖୋଲିବା ବେଳେ ବାହାରେ ପଡ଼ିଥିବା ଏକ କଳା ରଙ୍ଗର ବ୍ୟାଗ୍ରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ସନ୍ଦେହ କରିଥିଲେ ।
ସେ ଚାନ୍ଦିଲି ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗ୍ଟି ଖୋଲିଥିଲା । ପ୍ରାଥମିକ ତଦନ୍ତରୁ ମହିଳାଙ୍କ ହାତ ବନ୍ଧା ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଏନେଇ ଚାନ୍ଦିଲି ଥାନାରେ ମାମଲା ନଂ ୧୯୮/୨୦୨୬ ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା । ହତ୍ୟାର ୪୫ ଦିନ ପରେ ରାୟଗଡା ଜିଲ୍ଲା ପୁଲିସ କୁ ଏହି ବହୁ ଚର୍ଚ୍ଚିତ ଘଟଣାରେ ସଫଳତା ମିଳିଛି ।

