Homelocalଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ: ଏବେ କ୍ଲାସରୁମରୁ କ୍ୟାଣ୍ଟିନ୍, ହଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ ଜୋରଦାର ଚାଲିବ...

ଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ: ଏବେ କ୍ଲାସରୁମରୁ କ୍ୟାଣ୍ଟିନ୍, ହଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ ଜୋରଦାର ଚାଲିବ ପ୍ରଚାର

ଭୁବନେଶ୍ୱର, (୧୦/୧୦) : ଆପ୍ର : ନାମାଙ୍କନ ସରିଲା, ଏବେ ପ୍ରଚାରର ପାଳି । ୧୫ ଅକ୍ଟୋବର ଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ ।

ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଛାତ୍ର ସଂସଦର ସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦବୀ ପାଇଁ ଲଢ଼ୁଥିବା ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଉଦ୍ୟମ କରିବେ । କ୍ଲାସରୁମରୁ କ୍ୟାଣ୍ଟିନ୍, ହଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ ଭୋଟ୍ ମାଗିବା ଅଭିଯାନ ଜୋରଦାର ହେବ । ଗତକାଲି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ ବେଳେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା । ବାଜା, ନାଚଗୀତ, ଶୋଭାଯାତ୍ରା ଓ ସ୍ଲୋଗାନ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ । ସମର୍ଥକଙ୍କ ସହ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନିଜ କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ କରିଥିଲେ । ଏବେ ନଜର ରହିଛି ପ୍ରାର୍ଥୀଙ୍କ ପ୍ରଚାର ଉପରେ । ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ମଧ୍ୟ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।

କଲେଜରେ ଶିକ୍ଷକ ଅଭାବ, ପାଠପଢ଼ାର ଗୁଣବତ୍ତା, ଲାଇବ୍ରେରୀ, ହଷ୍ଟେଲ ସୁବିଧା, ପାନୀୟ ଜଳ, ପରିମଳ, କ୍ୟାମ୍ପସ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଭଳି ପ୍ରସଙ୍ଗକୁ ପ୍ରାର୍ଥୀମାନେ ଗୁରୁତ୍ୱ ଦେଇପାରନ୍ତି । ଏଥର ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ବର୍ଷ ଧରି ନିର୍ବାଚନ ବନ୍ଦ ଥିବାରୁ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରଥମ ଛାତ୍ର ସଂସଦ ନିର୍ବାଚନ ହେବ । ତେଣୁ ପ୍ରାର୍ଥୀମାନେ ନୂଆ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇପାରନ୍ତି ।

ଅନ୍ୟପଟେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପ୍ରଶାସନ ପାଇଁ ବଡ଼ ଦାୟିତ୍ୱ । ପ୍ରଚାର ସମୟରେ ଯେପରି କୌଣସି ଗୋଷ୍ଠୀ ସଂଘର୍ଷ, ଧମକଚମକ କିମ୍ବା ହିଂସା ନଘଟେ, ସେଥିପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସକୁ ସତର୍କ ରହିବାକୁ ପଡ଼ିବ । ନିର୍ବାଚନ ଆଚରଣବିଧି ପାଳନ ସହ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ହେବାକୁ ଥିବାବେଳେ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର କିଛି ଦିନ ରହିଛି । ଏହି ସମୟ ମଧ୍ୟରେ କିଏ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଜିତିପାରୁଛନ୍ତି, କାହାର ପ୍ରତିଶ୍ରୁତି ଭୋଟରଙ୍କୁ ଆକର୍ଷିତ କରୁଛି ଏବଂ କେଉଁ ପ୍ରସଙ୍ଗ ନିର୍ବାଚନରେ ଅଧିକ ଗୁରୁତ୍ୱ ପାଉଛି, ତାହା ଉପରେ ନଜର ରହିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments