ଉଦଳା, (୧୦/୧୦) : ଆପ୍ର : ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ଘଟଣାରେ ଉଦଳା ମେଡିକାଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ଘଟଣାସ୍ଥଳ ବୁଲିବା ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଆଲୋଚନା କରିଥିଲେ । ଅଗ୍ନିକାଣ୍ଡ ସମୟରେ ଓ ପରେ ନିକଟରେ ଥିବା ମେଡିସିନ ୱାର୍ଡରେ ଥିବା ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହେଲା ? ଅଗ୍ନିକାଣ୍ଡ ପୂର୍ବରୁ ମୃତ ରୋଗୀ ସୁଯୋଶ ବାରିକଙ୍କୁ ବାହାର କରି ନିଆଯାଇଥିଲା କି? ଏ ସଂପର୍କରେ ପଚାରି ବୁଝିଛନ୍ତି । ତେବେ ଘରୋଇ ଆମ୍ବୁଲାନ୍ସ ହୋଇଥିବାରୁ ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ଓ ତାହା କିଭଳି ରୋଗୀଙ୍କୁ ଦିଆଯିବ ସେ ବାବଦରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ।
ସୂଚନା ଥାଉକି, କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ଅସୁସ୍ଥ ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାଙ୍କୁ ନେବା ପାଇଁ ଏକ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରେ ଶୁଆଇ ଅକ୍ସିଜେନ ମାସ୍କ ଲଗାଉଥିବା ସମୟରେ ଅଚାନକ ସିଲିଣ୍ଡରରୁ ନିଆଁ ବାହାରିଥିଲା ।
କିଛି ସମୟ ମଧ୍ୟରେ ହୋଇଥିଲା ବିସ୍ଫୋରଣ। ରୋଗୀଙ୍କୁ ବାହାର କରିବା ଅସମ୍ଭବ ହୋଇପଡ଼ିବାରୁ ସେ ଗାଡ଼ି ଭିତରେ ହିଁ ଜଳିପୋଡ଼ି ପ୍ରାଣ ହରାଇଥିଲେ । ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଏବଂ ନିଆଁ ଦେଖି ଡାକ୍ତରଖାନା ପରିସରରେ ଥିବା ରୋଗୀ, ସମ୍ପର୍କୀୟ ଓ କର୍ମଚାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ମୃତକ ସୁଯୋଶ ବାରିକଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

