ଭୁବନେଶ୍ୱର, (୨୮/୦୮) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ରହି ଯଦି ଆପଣ କୁକୁର ରଖୁଛନ୍ତି ତେବେ ସତର୍କ ରୁହନ୍ତି । ନହେଲେ ଗଣି ପାରନ୍ତି ମୋଟା ଅଙ୍କର ଫାଇନ୍ ।
କୁକୁର ପାଳନରେ ଆପତ୍ତି ନାହିଁ, କିନ୍ତୁ ଏହାଦ୍ୱାରା ଅନ୍ୟମାନଙ୍କ ସମସ୍ୟା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଟିଆଲାରେ ପୋଷା କୁକୁର ଦ୍ୱାରା ଦମ୍ପତି ଆକ୍ରମଣର ଶିକାର ଖବର ପରେ ଭୁବନେଶ୍ୱରରେ ପୋଷା କୁକୁର ମାଲିକଙ୍କୁ ମେୟର ସୁଲୋଚନା ଦାସ ଚେତାବନୀ ଦେଇଛନ୍ତି । ମେୟର କହିଛନ୍ତି, ନିଜ ସଉକ ପାଇଁ ପୋଷା କୁକୁର ରଖୁଥିବା ମାଲିକମାନେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ । କୁକୁରକୁ ନିୟନ୍ତ୍ରଣରେ ରଖିବା ସହ ଏହା ଯେପରି ଅନ୍ୟ କାହାକୁ ଆକ୍ରମଣ ନ କରେ, ସେଥିପ୍ରତି ମାଲିକଙ୍କୁ ସଚେତନ ରହିବାକୁ ପଡ଼ିବ ।
ସେହିପରି ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାଇବା, ସୌନ୍ଦର୍ୟ୍ୟକରଣ ନଷ୍ଟ କରିବା ଏବଂ ଅନ୍ୟ ଲୋକଙ୍କୁ ହଇରାଣ କରିବା ଭଳି କାର୍ଯ୍ୟରୁ ମାଲିକମାନେ ନିବୃତ୍ତ ରହିବା ଆବଶ୍ୟକ ବୋଲି ମେୟର କହିଛନ୍ତି। ଲିଫ୍ଟରେ କୁକୁରକୁ ନେବା ସମୟରେ ମଧ୍ୟ ମାଲିକଙ୍କୁ ଅନ୍ୟ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଧ୍ୟାନ ଦେବାକୁ ପଡ଼ିବ। କୁକୁର ମାଲିକଙ୍କ ନିୟନ୍ତ୍ରଣରୁ ବାହାରି ଅନ୍ୟକୁ ଆକ୍ରମଣ କଲେ କିମ୍ବା ସାଧାରଣ ଲୋକଙ୍କ ସମସ୍ୟା ସୃଷ୍ଟି କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

