ଭୁବନେଶ୍ୱର, (୦୧/୧୧) : ଆପ୍ର : ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର । ଭଞ୍ଜନଗର ବାଇବାଲି ଲ୍ୟାଣ୍ଡସ୍ଲାଇଡ୍ ସ୍ଥଳକୁ ଯାଉଛି ଭାରତୀୟ ନୌସେନାର ଏକ ହେଲିକପ୍ଟର ।
ଭୂସ୍ଖଳନ ସ୍ଥାନରେ ଜୀବନ ଅଛି କି ନାହିଁ ସନ୍ଧାନ କରିବ । ସଂପୃକ୍ତ ଅଞ୍ଚଳର ସ୍କାନିଂ କରିବ ହେଲିକପ୍ଟର। ହେଲିକପ୍ଟରରେ ଅଛି ଲାଇଫ ଡିଟେକ୍ସନ ୟୁନିଟ ସିଗମିକ୍ । ଏହା ମାଧ୍ୟମରେ ମାଟି ତଳେ ଲୋକଙ୍କ ଜୀବନ ଅଛି କି ନାହିଁ ତାହା ସ୍କାନ୍ କରିବ । ନିଖୋଜଙ୍କ ଉଦ୍ଧାର ପାଇଁ ରେଳବାଇର ମଧ୍ୟ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ସରକାର । ରେଳ ବିଭାଗର ଅଧିକାରୀ ଏବଂ ଜ୍ଞାନ କୌଶଳ ଯୋଗାଇବାକୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହେଲେ ରାଜସ୍ୱ ମନ୍ତ୍ରୀ । ରେଳ ବିଭାଗର ଚେନ ପୁଲିଂ ଟେକନିକ ଲଗାଇବାକୁ ଆଲୋଚନା ହୋଇଛି। ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଏମ ଏବଂ ଡିଆରଏମଙ୍କୁ ସହାୟତା କରିବାକୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି । ରେଳ ଅଧିକାରୀ ଘଟଣା ସ୍ଥଳକୁ ଯାଉଛନ୍ତି । ଭଞ୍ଜନଗର ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ହୋଇଛି । ପାହାଡ଼ ଧସିବାରୁ ମାଟି ତଳେ ପୋତି ହୋଇଯାଇଛି ଗାଁ । ୧୨ ଜଣ ନିଖୋଜ ହୋଇ ଯାଇଛନ୍ତି । ନିଖୋଜଙ୍କୁ ଖୋଜିବାକୁ ଏନଡିଆରଏଫ୍, ଏସଓଜି ଓ ଅଗ୍ନିଶମ ବାହିନୀର ଜୋରଦାର ସର୍ଚ୍ଚ ଅପରେସନ ଚଳାଇଛି ।
ଅଘଟଣରେ ୧୩ ଜଣ ଗ୍ରାମବାସୀ ମାଟି ତଳେ ପୋତି ହୋଇ ଯାଇଥିଲେ । ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଦୁର୍ଗମ ପାହାଡ଼ିଆ ଗାଁ’ରେ ମୋଟ ୨୬ ଜଣ ବସବାସ କରୁଥିଲେ । ଭୂସ୍ଖଳନ ପୂର୍ବରୁ ୧୩ ଜଣ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ବୁଧବାର-ଗୁରୁବାର ରାତି ପ୍ରାୟ ୩ଟା ସମୟରେ ଲୋକେ ଶୋଇଥିବା ବେଳେ ହଠାତ୍ ନିକଟସ୍ଥ ପାହାଡ଼ ଧସିଥିଲା । ପଥର, କାଦୁଅ ଓ ମାଟିର ପ୍ରଚଣ୍ଡ ସ୍ରୋତରେ ଘରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପୋତି ହୋଇ ଯାଇଥିଲା। ଲୋକେ ବାହାରକୁ ବାହାରି ପାରି ନଥିଲେ ।
୯ଟି ଘର ମାଟି ତଳେ ପୋତି ହୋଇଯାଇଛି। ଘଟଣାସ୍ଥଳ ଅତ୍ୟନ୍ତ ଦୁର୍ଗମ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବାଧା ଉପୁଜିଥିଲା। ଏନଡିଆରଏଫ୍ , ଓଡ୍ରାଫ୍ , ଏସଓଜି ଏବଂ ଅଗ୍ନିଶମ ବାହିନୀର ପ୍ରାୟ ୧୬୦ ରୁ ୧୭୦ ଜଣ ତାଲିମପ୍ରାପ୍ତ ଯବାନ କାମରେ ଲାଗିଛନ୍ତି । ମାଟି ଏବଂ ବଡ଼ ପଥର ଖଣ୍ଡକୁ ହଟାଇବା ପାଇଁ ସ୍ୱତନ୍ତ୍ର କଟର, ଭାରୀ ଯନ୍ତ୍ରାଂଶ ଏବଂ ଜୀବନ ସନ୍ଧାନକାରୀ ଉପକରଣ ବ୍ୟବହାର କରାଯାଉଛି ।
ଗଞ୍ଜାମରେ ଭୟଙ୍କର ଭୂସ୍ଖଳନ, ପ୍ରାୟ ୧୩ ନିଖୋଜଙ୍କୁ ଖୋଜିବାକୁ ବଡ଼ ଅପରେସନ୍ । ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ ବର୍ଷା ଓ ବନ୍ୟାର ଦୁର୍ଦ୍ଦଶା ନସରୁଣୁ ଏବେ ଭୂସ୍ଖଳନ ବଢ଼ାଇଛି ଚିନ୍ତା । ଭଞ୍ଜନଗର ଅଞ୍ଚଳରୁ ଆସିଛି ଚିନ୍ତାଜନକ ଖବର । ବାଇପାଲି ପଞ୍ଚାୟତରେ ଭୂସ୍ଖଳନ ପରେ ୧୩ ଜଣଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି । ନିଖୋଜଙ୍କୁ ଠାବ କରିବା ପାଇଁ ଗତକାଲିଠାରୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଉଦ୍ଧାର ଓ ସନ୍ଧାନ କାର୍ଯ୍ୟରେ ୧୬୦ରୁ ୧୭୦ ଜଣ ନିୟୋଜିତ ଥିବା ସୂଚନା ମିଳିଛି ।
ଭୂସ୍ଖଳନ ପରେ ପ୍ରଭାବିତ ଅଞ୍ଚଳରେ ନିଖୋଜଙ୍କ ସନ୍ଧାନ ଚାଲିଛି । ମାଟି ଓ ପଥର ତଳେ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଚାଲିଛି ଖୋଜାଖୋଜି । ତେବେ ସମସ୍ତ ନିଖୋଜ ଏବଂ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି । ଏପଟେ ବିଭିନ୍ନ ସ୍ଥାନରେ ଘଟିଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ । ସର୍ଚ୍ଚ ଅପରେସନ୍ରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି । ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଖୋଜଙ୍କ ସନ୍ଧାନ ଚଳାଇଛନ୍ତି । ଲଗାଣ ବର୍ଷା, କାଦୁଅ ଓ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ପରିସ୍ଥିତି ଉଦ୍ଧାର କାର୍ଯ୍ୟକୁ ଜଟିଳ କରିଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ନିଖୋଜମାନେ କେଉଁଠି ? ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହେବ କି? ଉଦ୍ଧାରକାରୀ ଦଳର ତଲାସି ଅଭିଯାନ ଉପରେ ଏବେ ସମସ୍ତଙ୍କ ନଜର ।

