ଭୁବନେଶ୍ୱର, (୦୧/୧୧) : ଆପ୍ର : ବଙ୍ଗୋପସାଗରରେ ମାଡ଼ିଆସୁଛି ଭୀଷଣ ବାତ୍ୟା । ବାତ୍ୟା ‘ମୁରାସୁ’ ଆଶଙ୍କା । ନଭେମ୍ବର ୩ ସକାଳେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା ।
ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ୨ ଓ ୩ ତାରିଖରେ ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ଆଶଙ୍କା, ଚେନ୍ନାଇ ସମେତ ଉତ୍ତର ତାମିଲନାଡୁରେ ମଧ୍ୟ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚର୍ଚ୍ଚା । ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବିଭିନ୍ନ ପାଣିପାଗ ମଡେଲରେ ଆକଳନ କରାଯାଉଛି । ଆଗାମୀ ୬ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା । ଆଜି ବାତ୍ୟା ଓ ଆସନ୍ତାକାଲି ଭୀଷଣବାତ୍ୟା ସମ୍ଭାବନା ରହିଛି । ୩ତାରିଖ ସକାଳ ବେଳକୁ ଏହା ଦକ୍ଷିଣଆନ୍ଧ୍ର ପ୍ରଦେଶ ଉପକୂଳକୁ ଭୀଷଣ ବାତ୍ୟା ଭାବେ ଘଣ୍ଟା ପ୍ରତି ପବନ ବେଗ ୧୦୦ ରୁ ୧୧୦କିମି ଝଟକା ପବନ ୧୨୦କିମି ବୋହିପାରେ । ଏହାସହ ନେଲୁର ଏବଂ ନାରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ବ୍ୟବସ୍ଥାର ପ୍ରଭାବ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଉପକୂଳରେ ପଡ଼ିପାରେ । ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସାମ୍ନାକୁ ଆସିଥିବା ପାଣିପାଗ ମଡେଲଗୁଡ଼ିକର ଟ୍ରାକ୍ ଅନୁସାରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ବଙ୍ଗୋପସାଗରରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ । ତେବେ ଏହାର ଗତିପଥ ଓ ସ୍ଥଳଭାଗରେ ପ୍ରଭାବକୁ ନେଇ ବିଭିନ୍ନ ମଡେଲ ମଧ୍ୟରେ ଭିନ୍ନତା ରହିଛି । ତେଣୁ କେଉଁ ଅଞ୍ଚଳରେ ସର୍ବାଧିକ ପ୍ରଭାବ ପଡ଼ିବ, ତାହା ପରବର୍ତ୍ତୀ ପାଣିପାଗ ଅପଡେଟ୍ ରେ ଅଧିକ ସ୍ପଷ୍ଟ ହେବ ।
ଅନ୍ୟପଟେ ତାମିଲନାଡୁର ଚେନ୍ନାଇ ଓ ତିରୁଭାଲ୍ଲୁର ଜିଲ୍ଲାରେ ୨ ଓ ୩ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଥିବାରୁ ଏହି ଦୁଇ ଜିଲ୍ଲାରେ ପାଣିପାଗ ବ୍ୟବସ୍ଥାର ପ୍ରଭାବ ଅନୁଭୂତ ହୋଇପାରେ । ବିଶେଷ କରି ପୋନ୍ନେରି, ଗୁମ୍ମିଡିପୁଣ୍ଡି ଓ ପୁଲିକାଟ୍ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏହାସହ ଉତ୍ତର ତାମିଲନାଡୁର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଅଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ପାଣିପାଗ ବ୍ୟବସ୍ଥାର ପରୋକ୍ଷ ପ୍ରଭାବରେ ଭିତର ଅଞ୍ଚଳରେ ଝଟକା ପବନ ସହ ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି ।
ତେବେ ଏହି ପାଣିପାଗ ବ୍ୟବସ୍ଥାର ପ୍ରଭାବରେ ସର୍ବାଧିକ ବର୍ଷା ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇପାରେ । ଉତ୍ତର ତାମିଲନାଡୁର ଚେନ୍ନାଇ, ତିରୁଭାଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଅଞ୍ଚଳରେ ତୁଳନାତ୍ମକ ଭାବେ ମଧ୍ୟମ ବର୍ଷା ଆଶଙ୍କା କରାଯାଉଛି । ଏହି ସମୟରେ ବାତ୍ୟାର ସମ୍ଭାବ୍ୟ ଗତିପଥ, ତୀବ୍ରତା ଓ ବର୍ଷାର ପରିମାଣ ଉପରେ ନଜର ରହିବ । ପାଣିପାଗ ମଡେଲର ପୂର୍ବାନୁମାନ ବଦଳିପାରୁଥିବାରୁ ଆଗାମୀ ଅପଡେଟ୍ ଗୁରୁତ୍ୱପୂର୍ଣ୍ଣ ହେବ । IMD ଅପଡେଟ୍ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ବାତ୍ୟାରେ ପରିଣତ ହେଲେ ଏହାର ନାମ ‘ମୁରାସୁ’ ରଖାଯିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । Skymetର ଆକଳନ ଅନୁସାରେ ଆସନ୍ତାକାଲି ଓ ୩ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

