ସୋର, (୨୬/୦୬) : ଆପ୍ର : ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ହନୁମାନ ମନ୍ଦିରରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ମିରିପୁର ଖଇରା ଗ୍ରାମ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ ।
ପ୍ରଭୁ ହନୁମାନଙ୍କ ରୁପାର ମୁକୁଟ, ୧୦୦ ଗ୍ରାମରୁ ଅଧିକ ରୁପାର ଗୋଡ଼ ବାଙ୍କିଆ, ଦାନ ବକ୍ସ ଆଦି ଲୁଟି ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁରେ ଅନେକ ଲୋକଙ୍କ ଘରୁ ଲୁଟି ପାଇଁ ଉଦ୍ୟମ ଫେଲ ମାରିଥିଲା । ଶେଷରେ ମନ୍ଦିରରେ ପଶି ଲୁଟିଛନ୍ତି । ଖଇରା ପୋଲିସ ତଦନ୍ତ କରୁଛି । ଗାଁରେ ପୋଲିସ କର୍ମଚାରୀ ରାତିରେ ପେଟ୍ରୋଲିଂ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସେହିପରି ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟେସନ ରୋଡ଼ରେ ଥିବା ରାମ ମନ୍ଦିରରୁ ଚୋରି ହୋଇଥିଲା । ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଇଥିଲେ ଦୁର୍ବୃତ୍ତ । ସକାଳୁ ପୂଜକ ଦେଖି ଛତ୍ରପୁର ପୋଲିସକୁ ଅବଗତ କରାଇଥିଲେ । କିଛି ଦିନ ତଳେ ହନୁମାନ ମନ୍ଦିରରୁ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ନଗଦ ଟଙ୍କା ଚୋରି ହୋଇଥିଲା ।

