HomeHealth Careବେଶୀ ସମୟ ବସି ରହିବା ହୋଇପାରେ ଘାତକ! ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଗଭୀର ପ୍ରଭାବ

ବେଶୀ ସମୟ ବସି ରହିବା ହୋଇପାରେ ଘାତକ! ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଗଭୀର ପ୍ରଭାବ

ଭୁବନେଶ୍ୱର (୨୪/୦୫): ଆଧୁନିକ ଜୀବନଶୈଳୀରେ ଅଧିକାଂଶ ଲୋକ ଦୀର୍ଘ ସମୟ ଧରି ଚେୟାର କିମ୍ବା ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି। ବିଶେଷକରି ଅଫିସ୍ କାମ, କମ୍ପ୍ୟୁଟର ବ୍ୟବହାର ଏବଂ ମୋବାଇଲ୍‌ରେ ଅଧିକ ସମୟ ବିତାଇବା ଯୋଗୁଁ ଏହି ଅଭ୍ୟାସ ବଢ଼ିବାରେ ଲାଗିଛି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଦୀର୍ଘ ସମୟ ଧରି ନ ଉଠି ବସି ରହିବା ଶରୀର ପାଇଁ ଗଭୀର କ୍ଷତିକାରକ ହୋଇପାରେ।

ଚିକିତ୍ସକମାନଙ୍କ କହିବା ଅନୁସାରେ, ଲଗାତାର ୩୦ ମିନିଟ୍‌ରୁ ଅଧିକ ସମୟ ବସି ରହିଲେ ଗୋଡ଼ ଅଞ୍ଚଳରେ ରକ୍ତ ସଞ୍ଚାଳନ ଧୀର ହୋଇଯାଏ। ଏହା ଭବିଷ୍ୟତରେ ରକ୍ତଚାପ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟାର କାରଣ ହୋଇପାରେ। ଏହା ସହିତ ଅଧିକ ସମୟ ବସିବା ଦ୍ୱାରା ନିତମ୍ବର ମାଂସପେଶୀ ଦୁର୍ବଳ ହୋଇ ପିଠି ଓ କମର ବିନ୍ଧା ସମସ୍ୟା ବୃଦ୍ଧି ପାଏ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଦୀର୍ଘ ସମୟ ଧରି ବସି ରହିଲେ କୁଲ୍ହାର ଚଳଚଞ୍ଚଳତା କମିଯାଏ ଏବଂ ଶରୀରର ସ୍ୱାଭାବିକ ଚଳପ୍ରଚଳ କ୍ଷମତା ହ୍ରାସ ପାଏ। ଏଥିସହ ରକ୍ତରେ ଶର୍କରା ସ୍ତର ବଢ଼ିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଏ, ଯାହା ଡାଇବେଟିସ୍‌ର ବିପଦକୁ ଆହୁରି ବଢ଼ାଇଦେଇପାରେ। କୁଜା ହୋଇ ବସିବା ଦ୍ୱାରା ଫୁସଫୁସର କ୍ଷମତା ଓ ଶରୀରରେ ଅମ୍ଳଜାନ ଗ୍ରହଣ କ୍ଷମତା ମଧ୍ୟ କମିଯାଏ। ତା ସହିତ ଖାଦ୍ୟ ଖାଇବା ପରେ ତୁରନ୍ତ ବସି ପଡ଼ିଲେ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ ପେଟ ଫାମ୍ପିବା ଓ ଅସୁବିଧା ଦେଖାଯାଏ। କମ୍ପ୍ୟୁଟର ଓ ମୋବାଇଲ୍ ସାମ୍ନାରେ ଅଧିକ ସମୟ ବସିବା ଯୋଗୁଁ ବେକ ଓ କାନ୍ଧରେ ଜଡ଼ତା ଏବଂ ତୀବ୍ର ଯନ୍ତ୍ରଣା ହେଉଥିବା ମଧ୍ୟ ଦେଖାଯାଉଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ପ୍ରତି ୩୦ ମିନିଟ୍‌ରେ ଅତି କମରେ କିଛି ସମୟ ପାଇଁ ଠିଆ ହେବା, ହାଟିବା କିମ୍ବା ହାଲୁକା ବ୍ୟାୟାମ କରିବା ଦ୍ୱାରା ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରୁ ବହୁ ମାତ୍ରାରେ ରକ୍ଷା ମିଳିପାରିବ। ବ୍ୟସ୍ତ ଜୀବନ ମଧ୍ୟରେ ଛୋଟ ଛୋଟ ସଚେତନତା ଭବିଷ୍ୟତରେ ବଡ଼ ସ୍ୱାସ୍ଥ୍ୟ ଝୁମ୍ପରୁ ବଞ୍ଚାଇପାରିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments