Homelocalଅଙ୍ଗନୱାଡି କେନ୍ଦ୍ର ଛାତ ଖସି ୩ ଶିଶୁ ଆହତ ; ଅଙ୍ଗନବାଡି ପୁରୁଣା କୋଠା କୁ...

ଅଙ୍ଗନୱାଡି କେନ୍ଦ୍ର ଛାତ ଖସି ୩ ଶିଶୁ ଆହତ ; ଅଙ୍ଗନବାଡି ପୁରୁଣା କୋଠା କୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ମୁରିବାହାଲ, (୭/୭) : ଆପ୍ର : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର କୁର୍ଲି ଗ୍ରାମରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳ ୯ଟାରେ ଏକ ଅଘଟଣ ଘଟିଛି ।

ଅଙ୍ଗନୱାଡି କେନ୍ଦ୍ର ଛାତର ଏକ ଅଂଶ ହଠାତ୍ ଖସିପଡ଼ିବାରୁ ସେଠାରେ ଉପସ୍ଥିତ ୩ଜଣ ଶିଶୁ ଆହତ ହୋଇଥିଲେ । ସୂଚନା ଅନୁଯାୟୀ, ନିକଟରେ ଥିବା ବିଦ୍ୟାଳୟ ସକାଳ ୧୦ଟାରେ ଖୋଲୁଥିବାରୁ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ର ପୂର୍ବରୁ ଯାଇ ଖୋଲା ଥିବା ଅଙ୍ଗନୱାଡି କେନ୍ଦ୍ରରେ ବସିଥିଲେ । ସେମାନେ ଅଙ୍ଗନୱାଡି କେନ୍ଦ୍ରରେ ବସିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅଙ୍ଗନୱାଡି ୱାର୍କର ସ୍ପଷ୍ଟ କରିଛନ୍ତି ।

ସୂଚନା ପାଇ ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନୱାଡି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଙ୍ଗନୱାଡି କର୍ମୀମାନେ ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଶିଶୁମାନଙ୍କର ଚିକିତ୍ସା ପରେ ସେମାନଙ୍କୁ ଘରକୁ ଛଡ଼ାଯାଇଛି । ବଡ଼ ବିପଦ ଟଳିଯିବା ସହ କୋମଳମତି ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି ।

ପୁରୁଣା କୋଠାକୁ ପୁଟି, କଲର ମାରି ବାହାରୁ ଚକାଚକ ଦେଖାଯାଉଥିବା ବେଳେ ଭିତରେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ଅଙ୍ଗନୱାଡି କେନ୍ଦ୍ର ଭଗ୍ନଦଶାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ବହୁ ଦିନ ଧରି ଅଙ୍ଗନୱାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସତ୍ତ୍ୱେ ମରାମତି କିମ୍ବା ନୂତନ ଭବନ ନିର୍ମାଣ ପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଙ୍ଗନୱାଡି କେନ୍ଦ୍ର ଶୀଘ୍ର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments