ନୟାଗଡ଼, (୧୯/୦୭) : ଆପ୍ର : ଗତ କିଛିଦିନ ତଳେ ନୟାଗଡ଼ ଜିଲ୍ଳା ଖଣ୍ଡପଡା ସହରର ବିଭିନ୍ନ ସ୍ଥାନରୁ ଲୁଟେରାମାନେ ବାସଗୃହକୁ ସଂଯୋଗ ହୋଇଥିବା ପାଣି ପାଇପ ଲାଇନରୁ ୩୯ ମିଟର ଚୋରି କରି ନେଇଥିଲେ ।
ଏ ସଂର୍ପକରେ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ତ୍ରିଲୋଚନ ବେହେରା ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ ସେଥିପ୍ରତି ଦୃଷ୍ଟି ନଦେଇ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଏହାର ସୁଯୋଗ ନେଇ ଲୁଟେରାମାନେ ପୁଣି ସକ୍ରୀୟ ହୋଇ ଉଠି ବୁଧବାର ରାତିରେ ପୁର୍ନବାର ୧୦, ୧୨ ଓ ୧୩ ୱାର୍ଡର ବିଭିନ୍ନ ସ୍ଥାନରୁ ପାଣି ପାଇପ କାଟି ୪୮ ମିଟର ଚୋରି କରି ନେଇଥିବା ଜଣାପଡିଛି । ଫଳରେ ସହରର ଏକାଧିକ ବାସଗୃହକୁ ପାନୀୟଜଳ ଯୋଗାଣ ଗୁରୁବାର ବ୍ୟାହତ ହୋଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।
ତେବେ ପୁର୍ନବାର ପାଇପ ଲାଇନ ମରାମତି କରି ବାସଗୃହ ଗୁଡିକୁ ପାନୀୟଜଳ ଯୋଗାଇ ଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ହେଁ ଏହି ଘଟଣା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଜଣାପଡିଛି । ଅପରପକ୍ଷେ ଖଣ୍ଡପଡା ସହରରେ ପୁଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ହେଉ ନଥିବା ଅଭିଯୋଗ ହେଉଛି । ଏହାର ସୁଯୋଗ ନେଇ ଲୁଟେରା ଓ ଅସାମାଜିକ ଯୁବକମାନେ ବିଳମ୍ବିତ ରାତିରେ ବେଶ ସକ୍ରୀୟ ହୋଇ ଉଠି ଲୁଟପାଟ କରୁଥିବା ଜଣାପଡିଛି । ଏ ଦିଗରେ ଖଣ୍ଡପଡ଼ା ଥାନାଧିକାରୀ ଓ ଏସ୍ଡିପିଓ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।

