ଭୁବନେଶ୍ବର, (୦୮/୧୦) : ଆପ୍ର : SEBCଙ୍କ ପାଇଁ ସ୍ବତନ୍ତ୍ର କମିଶନ । ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ।
ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ବା SEBCଙ୍କ ରାଜନୈତିକ ପଛୁଆପଣ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱର ଅନୁଧ୍ୟାନ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କମିଶନ । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟିଙ୍କୁ ସଦସ୍ୟ ଏବଂ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ ସଦସ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିର୍ଦ୍ଦେଶ ଅନୁସାରେ ଏହି କମିଶନ ଗଠନ କରାଯାଇଛି ।
ଏନେଇ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନ ମୁଖ୍ୟତଃ ଦୁଇଟି ଦିଗ ଉପରେ ଅନୁଧ୍ୟାନ କରିବ । ପ୍ରଥମେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ପୌର ସଂସ୍ଥାରେ ମୋଟ ଜନସଂଖ୍ୟା ତୁଳନାରେ SEBC ବର୍ଗଙ୍କ ସଂଖ୍ୟା କେତେ, ତାହା ଆକଳନ କରାଯିବ । ଏଥିପାଇଁ ସରକାରୀ ରେକର୍ଡ, ବିଭିନ୍ନ ରିପୋର୍ଟ, ସର୍ଭେ ଏବଂ ଉପଲବ୍ଧ ତଥ୍ୟକୁ ଆଧାର କରାଯିବ । ଦ୍ୱିତୀୟରେ ପଞ୍ଚାୟତ ଓ ପୌର ସଂସ୍ଥାରେ SEBC ବର୍ଗଙ୍କ ରାଜନୈତିକ ପ୍ରତିନିଧିତ୍ୱ କେତେ ରହିଛି, ସେମାନେ ରାଜନୈତିକ ଦୃଷ୍ଟିରୁ କେତେ ପଛୁଆ ଏବଂ ଏହାର କାରଣ ଓ ପ୍ରଭାବ କ’ଣ, ସେନେଇ ତଥ୍ୟଭିତ୍ତିକ ଅନୁଧ୍ୟାନ କରାଯିବ ।
କମିଶନକୁ ୩ ମାସ ମଧ୍ୟରେ ନିଜର ରିପୋର୍ଟ ଓ ସୁପାରିସ ରାଜ୍ୟ ସରକାରଙ୍କୁ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ସ୍ଥାନୀୟ ନିର୍ବାଚନରେ SEBC ବର୍ଗଙ୍କ ପ୍ରତିନିଧିତ୍ୱ ଏବଂ ସଂରକ୍ଷଣ ସମ୍ପର୍କିତ ଆଗାମୀ ନିଷ୍ପତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ କମିଶନର ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର କି ପ୍ରଭାବ ପଡ଼ୁଛି, ତାହା ଉପରେ ନଜର ରହିବ ।

