ବରଗଡ଼, (୧୬/୦୬) : ଆପ୍ର : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍କୁ ପଛରୁ ପିଟିଲା ବାଇକ୍, ୨ ମୃତ ।
ରାସ୍ତା କଡ଼ରେ ଅଚଳ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ବାଇକ୍ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ,ଅତାବିରା ବ୍ଲକ ସରଣ୍ଡା ଓ ଗୋଡ଼ଭଗା ମଝିରେ ଥିବା ‘ଏଭର୍ ଗ୍ରୀନ ନର୍ସରୀ’ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ନଂ-OD ୦୫ P ୭୬୦୫ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ଅଚଳ ଅବସ୍ଥାରେ ଛିଡ଼ା ହୋଇଥିଲା । ତେବେ ରାତିର ଅନ୍ଧାର ଥିବା ସହ ଟ୍ରକ୍ର କୌଣସି ଇଣ୍ଡିକେଟର କିମ୍ବା ବିପଦ ସଙ୍କେତ ଆଲୋକ ଜଳୁ ନଥିଲା ।
ଏହି ସମୟରେ ଏକ ମୋଟର ସାଇକେଲ ନଂ-OD ୧୫ X ୫୦୬୭ ସେହି ବାଟ ଦେଇ ଯାଉଥିବା ବେଳେ ଅନ୍ଧାର ଯୋଗୁଁ ଛିଡ଼ା ହୋଇଥିବା ଟ୍ରକ୍କୁ ଦେଖିପାରି ନଥିଲେ ଏବଂ ଅତି ଜୋର୍ରେ ପଛପଟୁ ଧକ୍କା ଦେଇଥିଲେ। ବାଇକ୍ ରେ ଥିବା ନିଖିଲ ଓରଫ ଗଙ୍ଗାଧର ପରିଡ଼ା (୩୩), ଗ୍ରାମ: ହୁଦମା (ସମ୍ବଲପୁର ଥାନା ଅନ୍ତର୍ଗତ) ଓସୌମ୍ୟରଞ୍ଜନ ଖମାରୀ ଓରଫ ରାହୁଲ (୨୪), ଗ୍ରାମ: ଡଙ୍ଗରପଡ଼ା (ଯୁଯୁମୁରା ଥାନା ଅନ୍ତର୍ଗତ) ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବାଇକ୍ ଓ ଟ୍ରକ୍କୁ ଜବତ କରିଛନ୍ତି ।
ପୋଲିସ ପ୍ରଥମେ ମୃତଦେହ ଦୁଇଟିକୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଜାତୀୟ ରାଜପଥରେ ଏଭଳି ବିପଜ୍ଜନକ ଭାବେ ବିନା ଲାଇଟ୍ରେ ଗାଡ଼ି ଛିଡ଼ା କରିବା ଯୋଗୁଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ସହ ଅସନ୍ତୋଷ ପ୍ରକାଶ ପାଇଛି ।

