Homelocalଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ, ରାଜଧାନୀରେ ହୋମିଓପାଥି ସମ୍ମିଳନୀରେ ଦେବେ ଯୋଗ

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ, ରାଜଧାନୀରେ ହୋମିଓପାଥି ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର, (୨୫/୧୧) : ଆପ୍ର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ । ଭୁବନେଶ୍ୱରରେ ଜାତୀୟ ହୋମିଓପାଥି ବିଜ୍ଞାନ ସମ୍ମିଳନୀରେ ଯୋଗଦେବେ ମହାମହିମ ।

ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ନଜର ରହିବ । କାର୍ଯ୍ୟକ୍ରମ ଶେଷ ପରେ ଆଜି ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ଗତକାଲି କଟକର ଐତିହାସିକ ବାଲିଯାତ୍ରାକୁ ଉଦ୍ ଘାଟନ କରିଥିଲେ ରାଷ୍ଟ୍ରପତି । ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଉଦ୍ ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ସିଲଭର ସିଟି ବୋଟ୍ କ୍ଲବରୁ ସୁସଜ୍ଜିତ ବୋଇତରେ ମହାନଦୀରେ ଯାତ୍ରା କରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିଥିଲେ ମହାମହିମ । ଓରମାସ ପଲ୍ଲିଶ୍ରୀ ମେଳାକୁ ଉଦ୍ ଘାଟନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ ।

ବାଲିଯାତ୍ରାରେ ଉଦ୍ ବୋଧନ ଦେଇ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ସମୃଦ୍ଧ ପରମ୍ପରାକୁ ମନେ ପକାଇଥିଲେ ରାଷ୍ଟ୍ରପତି । ଏକଦା ନୌବାଣିଜ୍ୟ କ୍ଷେତ୍ରରେ ସାରା ଭାରତରେ ଓଡ଼ିଶା ଅଗ୍ରଣୀ ଥିଲା । ପ୍ରାଚୀନ ସାଧବ ପୁଅଙ୍କ ଦକ୍ଷତାରୁ ଅନେକ କିଛି ଶିଖିବାର ଅଛି ବୋଲି କହିଥିଲେ । ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ । ଆଗାମୀ ଦିନରେ ଓଡ଼ିଶା ଦେଶର ଶିଳ୍ପ କେନ୍ଦ୍ରରେ ପରିଣତ ହେବ ବୋଲି ଆଶା ପ୍ରକାଶ କରିଥିଲେ ମହାମହିମ । ୧୯୦୪ ମସିହାରେ ମଧୁବାବୁ କଟକରେ ପ୍ରତିଷ୍ଠା କରିଥିବା ଉତ୍କଳ ଟ୍ୟାନେରି ଆଜି ବି ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ।

କନ୍ଧମାଳ ହଳଦୀ ଓ କୋରାପୁଟ କଫି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶା ଓ ଇଣ୍ଡୋନେସିଆର ବାଲି ମଧ୍ୟରେ ସହଯୋଗ ପାଇଁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି । ନଦୀ ଆମର ମାଆ, ଏହାକୁ ପ୍ରଦୂଷିତ କରିବା ଉଚିତ ନୁହେଁ । ବାଲିଯାତ୍ରା ଶେଷ ହେବା ପରେ ନଦୀକୁ ସ୍ୱଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ ରାଷ୍ଟ୍ରପତି। ଗତକାଲି ବାଲିଯାତ୍ରା ଉଦ୍ ଘାଟନ ପରେ ଭୁବନେଶ୍ୱର ଫେରି ଲୋକଭବନରେ ରାତ୍ରିଯାପନ କରିଛନ୍ତି ମହାମହିମ । ଆଜି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତ ସମୟରେ ବିଭିନ୍ନ ରାସ୍ତାରେ ସାମୟିକ ଟ୍ରାଫିକ କଟକଣା ଲାଗୁ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments