Homeeducationସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର, (୧୭/୦୭) : ଆପ୍ର : ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି ।

ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମ ଲେଖାଇଛନ୍ତି । ଏବେ ୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ରହିଛି । ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ ସେହିଦିନଠାରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି । ସାମ୍‌ସ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୫୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୬,୦୧,୦୯୯ ଆସନ ରହିଛି । ପ୍ରଥମ ପର୍ଯ୍ୟାୟରେ ୩,୮୨,୮୩୫ ଆସନରେ ନାମଲେଖା ହୋଇଥିବା ବେଳେ ୨,୧୮,୨୬୪ ଆସନ ଖାଲି ଅଛି । କଳାରେ ମୋଟ ୩,୩୮,୬୪୨ ଆସନ ଥିବା ବେଳେ ପ୍ରଥମ ପର୍ଯ୍ୟାୟ
ନାମଲେଖା ପରେ ୯୦,୪୦୨ ଆସନ ବଳକା ରହିଛି ।

ସେହିପରି, ବିଜ୍ଞାନରେ ୮୭,୧୬୭, ବାଣିଜ୍ୟରେ ୨୫,୯୪୩, ସଂସ୍କୃତରେ ୮,୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୩୩୦ ଆସନ ଖାଲି ପଡ଼ିଛି । ପ୍ରଥମ ମେଧା ତାଲିକାରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ଗତ ୯ରୁ ୧୫ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି । ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ । ପରେ ସ୍ପଟ୍‌ ନାମଲେଖା ହେବ ।

ଅପରପକ୍ଷେ, ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟ ସରକାର ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ (କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ) ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ କିଛି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କଠାରୁ ବିଭିନ୍ନ ଫି’ ଆଦାୟ କରୁଥିବା ଅଭିଯୋଗ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି)ରେ ମାଗଣା ନାମଲେଖା ନେଇ ନିୟମାବଳୀ ଜାରି ହୋଇଛି । କିନ୍ତୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା +୨ ଶ୍ରେଣୀ ପାଇଁ ଏପର୍ଯ୍ୟନ୍ତ ନିୟମାବଳୀ ଜାରି କରାଯାଇନି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ ନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବାବେଳେ ବିସ୍ତୃତ ନିୟମାବଳୀକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments