ଭଦ୍ରକ, (୦୮/୧୦) : ଆପ୍ର : ଷଣ୍ଢଙ୍କ ପାଇଁ ଧାନ ଚାଷ କ୍ଷତିଗ୍ରସ୍ତ । ପ୍ରତିବାଦରେ୬୦ଟି ଷଣ୍ଢକୁ ଧରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭର୍ତ୍ତି କରି ତାଲା ଦେଲେ ଗାଁ ଲୋକ ।
ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ରଂଜିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଷଣ୍ଢଙ୍କ ଦାଉରୁ ଧାନ ଚାଷ ବଞ୍ଚାଇବା ପାଇଁ ଅଞ୍ଚଳର ଶତାଧିକ ଚାଷୀ ଏକାଠି ହୋଇ ୬୦ରୁ ଅଧିକ ଷଣ୍ଢଙ୍କୁ ଆଣି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପୂରାଇ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ।
ଅଞ୍ଚଳରେ ଷଣ୍ଢ ଓ ବୁଲା ଗୋରୁଙ୍କ ଉପଦ୍ରବ ଯୋଗୁଁ ଏକର ଏକର ଜମିର ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେଉଛି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନ ନିଆଯିବାରୁ ଚାଷୀମାନେ ନିରୁପାୟ ହୋଇ ଏପରି ଅଭିନବ ପ୍ରତିବାଦ କରିଛନ୍ତି । ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

