Homelocalଡ଼ଃ ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଭାରତ ରତ୍ନ ସେବା ସମ୍ମାନ

ଡ଼ଃ ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଭାରତ ରତ୍ନ ସେବା ସମ୍ମାନ

ମୁରିବାହାଲ, (୧୮/୦୯) : ଆପ୍ର : ସମାଜ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଭାରତ ରତ୍ନ ସେବା ସମ୍ମାନରେ ସମ୍ମାନିତ କରାଯାଇଛି ।

ନୀତି ଆୟୋଗ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନରେ ପଞ୍ଜୀକୃତ “ହେଲ୍ପିଙ୍ଗ ହ୍ୟୁମାନ୍ସ” ଏବଂ “ଦର୍ପଣ” ପକ୍ଷରୁ ତାଙ୍କୁ ଏହି ଗୌରବମୟ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଡ଼ଃ ମହାନନ୍ଦ କହିଛନ୍ତି, “ଆଜି ମୁଁ ଏହି ଅମୂଲ୍ୟ ପୁରସ୍କାର ପାଇ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି । ଏହି ଗୌରବମୟ ପୁରସ୍କାରକୁ ମୁଁ ମୋ ସ୍ୱର୍ଗତ ପିତା ଏବଂ ମୋ ସହିତ ରହୁଥିବା ପ୍ରିୟ ମା’ଙ୍କୁ ଉତ୍ସର୍ଗ କରୁଛି। ମୋ ଜୀବନସାଥୀଙ୍କ ପ୍ରେରଣା ଏବଂ ପୁଅ-ଝିଅଙ୍କ ସହଯୋଗ ପାଇଁ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଉଛି ।”

ପୂର୍ବରୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ସମାଜସେବା ଏବଂ ଦଳିତ ଓ ଦୁର୍ବଳ ବର୍ଗଙ୍କ ଉତ୍ଥାନ ପାଇଁ କାର୍ଯ୍ୟକୁ ସ୍ୱୀକୃତି ଦେଇ ତାଙ୍କୁ “ଡ଼ଃ ଭୀମରାଓ ଆମ୍ବେଦକର ଜାତୀୟ ପୁରସ୍କାର-୨୦୨୬”ରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଡ଼ଃ ବି.ଆର. ଆମ୍ବେଦକରଙ୍କ ଆଦର୍ଶ, ଶିକ୍ଷା ଓ ସଶକ୍ତିକରଣର ମନ୍ତ୍ରକୁ ଆଗକୁ ନେବା ପାଇଁ ଡ଼ଃ ମହାନନ୍ଦ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ବଲାଙ୍ଗିର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସେ ବହୁ କାର୍ଯ୍ୟ କରୁଛନ୍ତି ।

ସେ ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ । ତାଙ୍କର ୩୪ ବର୍ଷର ଅଧ୍ୟାପନା କାଳ ମଧ୍ୟରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଗତ ତା. ୩୦/୦୮/୨୦୨୫ରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ପୃଥିବୀ ପ୍ରସିଦ୍ଧ କେମ୍ବ୍ରିଜ ଡିଜିଟାଲ ୟୁନିଭର୍ସିଟି ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ମଧ୍ୟ ଭୂଷିତ କରିଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments