ବରଗଡ, (୨୨/୧୧) : ଆପ୍ର : ବେଆଇନ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଶୁକ୍ରବାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅତାବିରା ଏନ୍ଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ୪ଟି ବେଆଇନ ମଦ ଦୋକାନକୁ ସିଲ୍ କରାଯାଇଛି । ଏହି ଚଢ଼ାଉରେ ଅତାବିରା ଅତିରିକ୍ତ ତହସିଲଦାର ଦୀପକ ପତି, ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଏବଂ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରଶାସନିକ ଟିମ୍ ସାମିଲ ହୋଇଥିଲେ । ରେଳ ଷ୍ଟେସନ ରୋଡ୍ରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଦୁଇଟି ଦୋକାନ ଉପରେ ଚଢ଼ାଉ କରାଯାଇଥିବାବେଳେ କୃଷି କାର୍ଯ୍ୟାଳୟ ନିକଟରେ ଥିବା ଗୋଟିଏ କେବିନ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା ଅନ୍ୟ ଏକ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି । ଏହି ସମସ୍ତ ଦୋକାନ ଅତାବିରା ଏନ୍ଏସି ଅଧୀନରେ ରହିଛି ।
ଅଞ୍ଚଳରେ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ସହ ଆଇନଶୃଙ୍ଖଳା ବଜାୟ ରଖିବା ଏହି ଚଢ଼ାଉର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିବ । ନିୟମ ଉଲ୍ଲଙ୍ଘନ କରି ବେଆଇନ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

