ଭୁବନେଶ୍ୱର, (୨୦/୦୭) : ଆପ୍ର : ଅନଲାଇନ୍ ଡଲାର ଟ୍ରେଡିଂ ନାଁରେ ବଡ଼ ଧରଣର ଠକେଇ । ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ ।
ଅଧିକ ଲାଭର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କଠାରୁ ପ୍ରାୟ ୯୭ ଲକ୍ଷ ୨୮ ହଜାର ଟଙ୍କା ନିବେଶ କରାଇଥିଲେ ଦୁଇ ଅଭିଯୁକ୍ତ । ୬ ମାସ ମଧ୍ୟରେ ଅଧିକ ଲାଭ ସହ ଟଙ୍କା ଫେରାଇବାକୁ ଦେଇଥିଲେ ପ୍ରତିଶ୍ରୁତି । ପ୍ରଥମେ ୭ ଲକ୍ଷ ୯୫ ହଜାର ଟଙ୍କା ଫେରାଇ ଅଭିଯୋଗକାରୀଙ୍କ ବିଶ୍ୱାସ ଜିତିଥିଲେ । ପରେ ବାକି ୮୯ ଲକ୍ଷରୁ ଅଧିକ ଟଙ୍କା ଫେରାଇବାକୁ ଟାଳଟୁଳ କରିଥିଲେ । ବ୍ୟାଙ୍କ ସମସ୍ୟାର ବାହାନା ଦେଖାଇ ନକଲି ସ୍କ୍ରିନସଟ୍ ଓ ଡିଜିଟାଲ ଦସ୍ତାବିଜ ପଠାଇ ଦେଉଥିଲେ ମିଥ୍ୟା ଆଶ୍ୱାସନ ।
ଟଙ୍କା ଫେରସ୍ତ ମାଗିବାରୁ ଗାଳିଗୁଲଜ ସହ ହତ୍ୟା ଓ ଦୁଷ୍କର୍ମର ଧମକ ଦେଇଥିବା ଅଭିଯୋଗ । ତଦନ୍ତ ବେଳେ ବ୍ୟାଙ୍କ ଷ୍ଟେଟମେଣ୍ଟ, ହ୍ୱାଟ୍ସଆପ୍ ଚାଟ୍, ଆପୋଷ ବୁଝାମଣା ପତ୍ର ଓ ପୋଷ୍ଟ ଡେଟେଡ୍ ଚେକ୍ ଜବତ କରିଛି ପୋଲିସ । ଏହି ମାମଲାରେ ନିଲିମା ଶତପଥୀ ଓ ମନୋଜ କୁମାର ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ ।

