ସୁବର୍ଣ୍ଣପୁର, (୧୩/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବିନିକା ରାସ୍ତାର ବିନିକା ହିରୋ ସୋ’ରୁମ ସମ୍ମୁଖରେ ଏକ ଟ୍ରାକ୍ଟର ପଛପଟେ ପଲସର ଧକ୍କା ହୋଇ ୨ ହାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ରାସ୍ତା କଡ଼ରେ କାଳ ସାଜି ଠିଆ ହୋଇଥିଲା ଟ୍ରଲି । ସୂଚନନୁଯାୟୀ ସୋମବାର ସନ୍ଧ୍ୟାରେ ଓଡି୧୫ଏଏ ୯୪୩୬ ବିଶିଷ୍ଟ ଟ୍ରାକ୍ଟର ନମ୍ବର ମାଟି ବୋଝେଇ ହୋଇ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ପଲସର୍ ବାଇକ୍ ନଂ ଓଡି୦୬କେ -୮୮୫୨ ସୋନପୁର ପଟରୁ ବିନିକା ଆଡ଼କୁ ଯାଉଥିବା ବେଳେ ଦ୍ରୁତଗତିରେ ଆସି ଟ୍ରାକ୍ଟର ପଛପଟେ ଟ୍ରଲିରେ ଧକ୍କା ଦେଇଥିଲା । ଘଟଣା ଏତେ ଭୟାବହ ଥିଲା ଯେ ବାଇକ ର ହ୍ୟାଣ୍ଡଲ ଦୁଇଖଣ୍ଡ ହୋଇଯିବା ସହ ଘଟଣା ସ୍ତଳରେ ହିଁ ଦୁଇ ଜଣ ଯୁବକ ନିସ୍ତେଜ ହୋଇ ପଡିରହିଥିଲେ ।
ଖବରପାଇ ବିନିକା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ଦୁହିଁ ଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୨ ଜଣ ବିନିକା ଅଞ୍ଚଳର ବାବୁପାଲି ଗ୍ରାମ ର ଗଣେଶ ନାଏକ(୨୧) ଓ ତାଳମୁଣ୍ଡା ଗ୍ରାମର ସରୋଜ ଭୋଇ (୨୫) ବୋଲି ଜଣାପଡ଼ିଛି । ବିନିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ବିନିକା ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

