ସୁବର୍ଣ୍ଣପୁର, (୧୩/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମଠାରେ ଆଜି ୭୦ତମ ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ସହିତ ରାଜ୍ୟର ପ୍ରଥମ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଛି ।
ଚାରିଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଓଡ଼ିଶାର ସୁନାମଧନ୍ୟ ଆଥଲେଟ୍ ତଥା ସ୍ୱର୍ଣ୍ଣପଦକ ବିଜୟିନୀ ଦୂତୀ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଶାରୀରିକ ଶିକ୍ଷାର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା, ମୟୂରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀ ଭାଗୀରଥୀ ମଲ୍ଲିକ, କାର୍ଯ୍ୟକ୍ରମର ସଂଯୋଜନା ଓ ଆୟୋଜକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଳାନ ପାଣ୍ଡିଆ, ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ସଭାପତି ପ୍ରିୟୁଷ ପଣ୍ଡା ଉପସ୍ଥିତ ଥିଲେ ।
ଏହି ଅବସରରେ ଦୂତୀ ଚାନ୍ଦ ଉପସ୍ଥିତ ୧୪ ବର୍ଷରୁ କମ୍ ବୟସର ବାଳକ ଫୁଟବଲ୍ ଖେଳାଳିମାନଙ୍କୁ ଉଦ୍ବୋଧନ ଦେଇ ନିଜ ଜୀବନର ସଂଘର୍ଷ ଓ ସଫଳତାର ଅନୁଭୂତି ବାଣ୍ଟିଥିଲେ। ପ୍ରାରମ୍ଭିକ ଦିନଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ସତ୍ତ୍ୱେ ନିଜର ଦୃଢ଼ ଇଚ୍ଛାଶକ୍ତି, ନିରନ୍ତର ଅଭ୍ୟାସ ଓ କଠିନ ପରିଶ୍ରମ ଯୋଗୁଁ ସେ ସଫଳତା ହାସଲ କରିପାରିଥିବା କହିଥିଲେ । ୨୦୧୬ରେ ୧୦୦ ମିଟର ଦୌଡ଼ରେ ପି.ଟି. ଉଷାଙ୍କ ରେକର୍ଡ ଭାଙ୍ଗିବା ଏବଂ ପରବର୍ତ୍ତୀ ସମୟରେ ନିଜ ରେକର୍ଡକୁ ଏକାଧିକ ଥର ଅତିକ୍ରମ କରିବାର ଅନୁଭୂତି ମଧ୍ୟ ସେ ଖେଳାଳିମାନଙ୍କ ସହ ବାଣ୍ଟିଥିଲେ ।
ଦୂତୀ ଚାନ୍ଦ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ବିଜୁ ପଟ୍ଟନାୟକ ପୁରସ୍କାର ଓ ଓଡ଼ିଶା ସିଟିଜେନ୍ ଆୱାର୍ଡ ଭଳି ସମ୍ମାନ ତାଙ୍କୁ ଆହୁରି ଉତ୍ସାହିତ କରିଥିବା କହିଥିଲେ । ନିଜର ନିଷ୍ଠା ଓ ପରିଶ୍ରମ ଯୋଗୁଁ ସେ ପ୍ରାୟ ୧୫୦୦ଟି ପଦକ ହାସଲ କରିଥିବା ଉଲ୍ଲେଖ କରିଥିଲେ ।
ସେ କହିଥିଲେ ଯେ, ଓଡ଼ିଶା ଆଜି କ୍ରୀଡ଼ା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଛି। ଗ୍ରାମାଞ୍ଚଳରେ ମିନି ଷ୍ଟାଡିୟମ୍ ନିର୍ମାଣ ସହ ପ୍ରତ୍ୟେକ ଜିଲ୍ଲାରେ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଷ୍ଟାଡିୟମ୍ ଓ ଅନ୍ୟାନ୍ୟ ସୁବିଧା ବିକଶିତ କରାଯାଉଛି। ପୂର୍ବରୁ କ୍ରୀଡ଼ା କ୍ଷେତ୍ରରେ କଳିଙ୍ଗ ଷ୍ଟାଡିୟମ୍ ଓ ବାରବାଟୀ ଷ୍ଟାଡିୟମ୍ର ନାମ ଅଧିକ ପରିଚିତ ଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଖେଳାଳିମାନଙ୍କୁ କ୍ରୀଡ଼ାକୁ ନିଜର ଭବିଷ୍ୟତ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇ ଦୂତୀ ଚାନ୍ଦ କହିଥିଲେ ଯେ, ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ସରକାରୀ ଚାକିରି ଓ ଆର୍ଥିକ ସହାୟତା ଭଳି ସୁଯୋଗ ମିଳୁଛି । ପ୍ରତ୍ୟେକ ପରିବାର ଅନ୍ତତଃ ଜଣେ ଶିଶୁଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କଲେ ରାଜ୍ୟରେ କ୍ରୀଡ଼ା ପ୍ରତିଭାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଚାରିଦିନ ଧରି ଚାଲିବାକୁ ଥିବା ଏହି ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ଚାମ୍ପିୟନସିପ୍ର ଉଦ୍ଯାପନୀ ସମାରୋହ ଆସନ୍ତା ୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ । ଏହି ଚାମ୍ପିୟନସିପ୍ରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି । ପ୍ରତିଯୋଗିତାର ପ୍ରଥମ ଦିନରେ ଖେଳାଳିମାନଙ୍କ ପକ୍ଷରୁ ଆକର୍ଷଣୀୟ ପତାକା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଉପସ୍ଥିତ ଅତିଥିମାନେ ଏହି ଶୋଭାଯାତ୍ରାକୁ ଅଭିବାଦନ ଜଣାଇବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ନିଷ୍ଠା ଓ ଏକାଗ୍ରତାର ସହ ଖେଳିବା ସହ ନିଜର କ୍ରୀଡ଼ା ଦକ୍ଷତାର ବିକାଶ କରିବାକୁ ଆହ୍ୱାନ ଦିଆଯାଇଥିଲା । ଜାତୀୟସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପଦକ ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିବା ଦିଗରେ ଖେଳାଳିମାନେ ଉଦ୍ୟମ କରିବାକୁ ପ୍ରଶାସନ ପକ୍ଷରୁ ପ୍ରେରଣା ଦିଆଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ନିରଞ୍ଜନ ଶତପଥୀ ଓ ସ୍ମିତା ରାଣୀ ନାଏକ ସଂଯୋଜନା କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସେକସନ ଅଧିକାରୀ ଚିତ୍ତରଞ୍ଜନ ତରାସିଆ ।

