ମାଲକାନଗିରି, (୧୮/୧୧) : ଆପ୍ର : ମାଲକାନଗିରିରେ ୨ ଦିନ ସ୍କୁଲ୍ ଛୁଟି । ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।
ସମ୍ଭାବ୍ୟ ବାତ୍ୟା ଓ ବର୍ଷା କାରଣରୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ରହିବ । ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । କୌଣସି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ବିଶେଷକରି ତହସିଲଦାର ଓ ବିଡିଓମାନଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ରହିଛି । ସମ୍ଭାବ୍ୟ ବାତ୍ୟା ଓ ବର୍ଷା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଧନଜୀବନହାନୀ ନଘଟେ ଏବଂ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

